
ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ବଙ୍ଗୋପସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହି ପ୍ରଭାବରେ ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହେବ । ତେଣୁ ଆଗାମୀ ୧୦ରୁ ୧୪ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ଲଘୁଚାପ ଓ ମୌସୁମୀ ପ୍ରବେଶ ପ୍ରଭାବରେ ଜୁନ୍ ୧୦ ଓ ୧୧ରେ ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ସମ୍ବଲପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ଖୋର୍ଦ୍ଧା, ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।
ସେହିପରି ୧୨ ଓ ୧୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଏଥିସହ ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଦେବଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପି.କେ ଜେନା ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ମାଧ୍ୟମରେ ସତର୍କ ରହିବାକୁ ସୂଚନା ଦେଇଛନ୍ତି ଚିଠିରେ ଏସଆରସି ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଜୀବନ ତଥା ସମ୍ପତ୍ତିରେ କୌଣସି କ୍ଷତି ନହେବା ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି:
ବନ୍ୟା / ବିପର୍ଯ୍ୟୟ ପରିଚାଳନା ସହିତ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟାଳୟର କଣ୍ଟ୍ରୋଲ୍ ରୁମ୍ ଗୁଡିକ ପର୍ଯ୍ୟାପ୍ତ ପରିମାଣର ମାନବ ଶକ୍ତି ସହିତ ଘଣ୍ଟା ଘଣ୍ଟା କାର୍ଯ୍ୟ କରିବା ଆବଶ୍ୟକ। ଏହା ୨୪ ଘଣ୍ଟିଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷେତ୍ର ସ୍ତରର କାର୍ଯ୍ୟକର୍ତ୍ତାମାନେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ସହିତ ଯେକୌଣସି ଘଟଣାରେ ମୁକାବିଲା ଓ ନିରାପତ୍ତା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଭୂସ୍ଖଳନପ୍ରବଣ ଜିଲ୍ଲାଗୁଡିକର ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ରୋକିବା ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକୋ ଓ ଆବଶ୍ୟକ ସ୍ଥଳେ ଦୁର୍ବଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରିବା ଉଚିତ୍।
କଚ୍ଚା ଘରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ କହିଛନ୍ତି । ନଦୀ ଓ କେନାଲର ଦୁର୍ବଳ ବନ୍ଧ ଚିହ୍ନଟ, ବନ୍ୟା ମୁକାବିଲା ଲାଗି ଆବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବା, କେନାଲରେ ବନ୍ୟା ତଥା ବର୍ଷା ଜଳ ଛାଡ଼ିବା, ସହରାଞ୍ଚଳରୁ ବର୍ଷା ଜଳ ନିଷ୍କାସନ, ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖିବାକୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟ ସମୟରେ କରୋନା କଟକଣା ପାଳନ, ଉଦ୍ଧାର ହେଉଥିବା ଲୋକଙ୍କୁ ମାଗଣା ଖାଦ୍ୟ, ପାନୀୟ, ଲାଇଟ୍, ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ସହ ଆବଶ୍ୟକୀୟ ପରିମାଣର ଚାଉଳ, ଚୁଡ଼ା, ଗୁଡ଼ ମହଜୁଦ୍ ରଖିବାକୁ ନିର୍ଦେଶ ଦିଆଯାଇଛି। ୧୦ ତାରିଖ ସୁଦ୍ଧା ସମୁଦ୍ର କୂଳକୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯିବା ସହ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ କୁହାଯାଇଛି। ବର୍ଷା ତଥା ବନ୍ୟାରେ ଯଦି ଘର ଭାଙ୍ଗେ ତେବେ ପଲିଥିନ୍ ଯୋଗାଣ, ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଓ ପ୍ରାଣୀ ଚିକିତ୍ସା ଦଳକୁ ସଜାଗ ରଖିବା, ପ୍ରତିଦିନ ବର୍ଷା ରିପୋର୍ଟ ପ୍ରଦାନ, ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍, ଟେଲି କମ୍ୟୁନିକେସନ ଓ ରାସ୍ତା ମରାମତି, ବନ୍ୟା ଆଶଙ୍କା ଥିବା ସ୍ଥଳକୁ ସାଧାରଣ ଲୋକଙ୍କୁ ବାରଣ କରିବା ଦିଗରେ ପଦକ୍ଷେପ ନେବାକୁ ଏସ୍ଆରସି କହିଛନ୍ତି।