
ସ୍ବାମୀ-ସ୍ତ୍ରୀର ସମ୍ପର୍କ ପବିତ୍ର ଓ ଚିରନ୍ତନ । ସଧବା ନାରୀଟିଏ ବିବାହ କରିବା ପରଠାରୁ ସ୍ବାମୀ ଭଳି ସାଥୀ ଓ ସହଯୋଗୀଟେ ପାଏ ଯିଏକି ତାର ଭଲମନ୍ଦ, ସୁଖଦୁଖ ଓ ହାନିଲାଭକୁ ବୁଝି ପରିସ୍ଥିତିର ମୁକାବିଲା ଲାଗି ସହଯୋଗ କରେ । ସ୍ତ୍ରୀର ମନବୋଳ ଓ ଆତ୍ମବିଶ୍ବାସର ସାଥୀ ମଧ୍ୟ ହୋଇଯାଏ । ଆଜି ସାବିତ୍ରୀ ଅମାବାସ୍ୟା ସଧବା ନାରୀଟିଏ ସ୍ବାମୀଙ୍କର ସୁରକ୍ଷା ଓ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରେ ।
ପୌରାଣିକ ତଥ୍ୟାନୁସାରେ, ଆଜିର ଦିନରେ ସତୀ ସାବିତ୍ରୀ ସ୍ବାମୀ ସତ୍ୟବାନଙ୍କ ଜୀବନର ବରଦାନ ମାଗି ଯମରାଜଙ୍କୁ ମଧ୍ୟ ଫେରାଇ ଦେଇଥିଲେ । ତେବେ ଆଜି ମଧ୍ୟ ସେହି ରୀତିନୀତିରେ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି ।
କରୋନା କଟକଣା ରହିଥିବାରୁ ମହିଳାମାନେ ଘରେ ପୂଜା କରୁଛନ୍ତି । ନଚେତ ମନ୍ଦିରରେ ଅଳ୍ପ କିଛି ମହିଳାମାନେ ବାହାରୁ ଦର୍ଶନ କରି ଫେରୁଛନ୍ତି । ଆଜିର ଦିନରେ ସାବିତ୍ରୀ ବ୍ରତଧାରୀ ମହିଳା ମାନେ ନୂଆ ଶାଢ଼ି, ଚୁଡ଼ି, ଫଳମୂଳ ଓ ପୂଜା ସାମଗ୍ରୀ ଧରି ମନ୍ଦିରକୁ ପୂଜା କରିବାକୁ ଯାଇଥାନ୍ତି । କିନ୍ତୁ କରୋନା ପାଇଁ ଚଳିତ ବର୍ଷ ଏହି ବ୍ରତ ଟିକେ ଫିକା ପଡ଼ିଛି ।