
ଭାରତର ଜଣାଶୁଣା ଧାବକ ମିଲଖା ସିଂହ ଏକ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମଣ ସହିତ ଲଢ଼େଇ ଜାରି ରଖିବା ପରେ ଶୁକ୍ରବାର ପରଲୋକ ହୋଇଯାଇଛି । ପଦ୍ମଶ୍ରୀ ମିଲଖା ସିଂହଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପରିବାରେ ପୁଅ ଗୋଲଫର ଜୀଭ ମିଲଖା ସିଂହ ଓ ୩ ଝିଅ । ତାଙ୍କର ପରିବାରର ଜଣେ ମୁଖପାତ୍ର କହିଛନ୍ତି, ସେ ଶୁକ୍ରବାର ରାତି ସାଢ଼େ ୧୧ଟାରେ ଅନ୍ତିମ ନିଃଶ୍ୱାସ ନେଇଥିଲେ । ତାଙ୍କର ଅବସ୍ଥା ସନ୍ଧ୍ୟା ଠାରୁ ଖରାପ ଥିଲା ଏବଂ ଜ୍ୱର ସହିତ ଅକ୍ସିଜେନ ମଧ୍ୟ କମ ହୋଇ ଯାଇଥିଲା । ସେ ଜିଆଇଏମଇଆରର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସୂଚନାଯୋଗ୍ୟ, ଗତ ରବିବାର ଦିନ ପୂର୍ବରୁ ମିଲଖା ସିଂହଙ୍କ ପତ୍ନୀ ତଥା ଭାରତୀୟ ଭଲିବଲ ଟିମର ପୂର୍ବତନ ଅଧିନାୟକ ନିର୍ମଳ କୌର(୮୫)ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା ।
ମିଲଖା ସିଂଗ ଗତ ମେ’ ମାସରେ କରୋନା ପଜିଟିଭ ସଂକ୍ରମିତ ହୋଇଥିଲେ । ବୁଧବାର କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କୁ ଆଇସିୟୁରୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା । ଗୁରୁବାର ସନ୍ଧ୍ୟା ଠାରୁ ତାଙ୍କର ଅବସ୍ଥା ସ୍ଥିର ଥିଲା ।

୪ଥର ଏସିୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜେତା ମିଲଖା ସିଂହ ୧୯୫୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିଲେ । ସେ ୧୯୬୦ରେ ଅନୁଷ୍ଠିତ ରୋମ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ୪୦୦ ମିଟର ଦୌଡ଼ରେ ୪ର୍ଥ ସ୍ଥାନରେ ଥିଲେ । ସେ ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ୧୯୫୯ ମସିହାରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ମିଲଖା ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ଜଣାଇଛନ୍ତି । ମୋଦୀ ଫଟୋ ସେୟାର କରି ଲେଖିଛନ୍ତି- ମିଲଖା ସିଂହଙ୍କ ପରଲୋକରେ ଆମେ ଜଣେ ମହାନ ଖେଳାଳିଙ୍କୁ ହରାଇଛେ । ସେ ଦେଶର ଗୌରବକୁ ବଢ଼ାଇଥିଲେ । ଅଗଣିତ ଭାରତୀୟଙ୍କ ହୃଦୟରେ ସେ ସ୍ଥାନ ପାଇଛନ୍ତି । ତାଙ୍କର ବ୍ୟକ୍ତିତ୍ୱ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛି । ତାଙ୍କର ପରଲୋକରେ ଗଭୀର ଆଘାତ ଲାଗିଛି ।