
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ତଥା ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ରାତିରେ ପରଲୋକ ଘଟିଛି । କରୋନାରେ ସଂକ୍ରମିତ ହୋଇ ଗୁରୁତର ହେବାରୁ ଗତକିଛି ଦିନ ପୂର୍ବେ ଇକମୋ ଚିକିତ୍ସା କରାଇବା ପାଇଁ ତାଙ୍କୁ ଏୟାରଲିଫ୍ଟ ଯୋଗେ କଲିକତାର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା ।
ବ୍ୟୟବହୁଳ ଚିକିତ୍ସା ପଦ୍ଧତି ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଳକ୍ଷିତ ହେଇନଥିଲା। ଫୁସଫୁସ ସଂକ୍ରମଣ ଯୋଗୁଁ ସେ ବେଳକୁବେଳ ଗୁରୁତର ହୋଇପଡୁଥିଲେ। ତେବେ ଗତକାଲି ୫୬ ବର୍ଷ ବୟସରେ ଜଣେ ଆମୟିକ ଓ ନିଷ୍ଠାପର ପ୍ରଶାସନିକ ଅଧିକାରୀଙ୍କ ବିୟୋଗ ଘଟିଛି । ୧୯୯୧ରେ ସେ ଭାରତୀୟ ପୋଲିସ ସେବା (ଆଇପିଏସ୍)ରେ ଯୋଗ ଦେଇଥିଲେ। ସେ ପୁଲିସ ବିଭାଗରେ ଉତ୍ତମ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ପୁଲିସ ମେଡାଲ୍ ପାଇ ଆସିଥିଲେ। ପୋଲିସ ସେବାରେ ଯୋଗଦେଇ ସେ କଟକ, ଭୁବନେଶ୍ବର, ପୁରୀ, ଗଂଜାମ, କେନ୍ଦୁଝର ଭଳି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ଏସ୍ପି ଭାବେ କାର୍ଯ୍ୟ କରିବା ସହିତ ପୁଲିସ ବିଭାଗର ଡିଆଇଜି (ପ୍ରଶାସନ), ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଆଇଜି (ମଡର୍ଣ୍ଣାଇଜେସନ୍), ଆଇଜି (ପର୍ସନେଲ୍), ଏଡିଜି (ପର୍ସନେଲ୍) ଭାବେ କାର୍ଯ୍ୟ କରି ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ।
ପୋଲିସ ସେବାରେ କାର୍ଯ୍ୟ କରିବା ସହିତ ସେ ସାହିତ୍ୟ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ସାହିତ୍ୟ ସଂରଚନା ପାଇଁ ସେ ଓଡିଆ ସାହିତ୍ୟ ଏକାଡେମୀ ସମ୍ମାନ ମଧ୍ୟ ପାଇଛନ୍ତି । ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ୯ଟି କ୍ଷୁଦ୍ରଗଳ୍ପ ସଂକଳନ, ୭ଟି ଉପନ୍ୟାସ, ଅନେକ ଗୀତି କବିତା ରଚନା କରିଛନ୍ତି। ତାଙ୍କ ଗୀତି କବିତାକୁ ନେଇ ଅନେକ ଭିଡିଓ ତଥା ଅଡିଓ ଆଲବମ୍ ପ୍ରସ୍ତୁତ ହୋଇଛି। ତାଙ୍କର ୮ଟି ଗୀତକୁ ନେଇ ସାର୍ଥକ କଂପାନି ଦ୍ବାରା ପ୍ରସ୍ତୁତ ‘ଜହ୍ନ ରାତି’ ଆଲବମ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା। ଧାନ କିଆରିର ମାଟିର ଗନ୍ଧରେ ଲେଖା ମୋ ଗାଁ ଠିକଣା.. ଗଙ୍ଗ ଶିଉଳି ମୁଁ ଗଙ୍ଗ ଶିଉଳି. ଭଳି ହୃଦୟସ୍ପର୍ଶୀ ଗୀତ ତାଙ୍କୁ ଅନେକ ପ୍ରଶଂସା ଆଣି ଦେଇଥିଲା। ତାଙ୍କ ଲିଖିତ ଗଳ୍ପକୁ ନେଇ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲଗୁ ଓ କନ୍ନଡରେ ବି ନାଟକ ପ୍ରସ୍ତୁତ କରାଯାଇଛି ।
ସେ ୨୦୦୨ରେ କ୍ଷୁଦ୍ର ଗଳ୍ପ କ୍ଷେତ୍ରରେ ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଛନ୍ତି। ନୂଆଦିଲ୍ଲୀର ଲିଫି ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ତାଙ୍କର ପୁସ୍ତକ ‘ଥିଙ୍ଗ୍ସ ଲେଫ୍ଟ ଅନସେଡ୍ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ରସ୍କିନ୍ ବଣ୍ଡ୍ ଏବଂ ମନୋଜ ଦାସଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, ବରିଷ୍ଠ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହି ଓଡ଼ିଶାର ସେବା କରିଛନ୍ତି। ଏହି ଦୁଃସମୟରେ ତାଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି।
ସେହିପରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ଭିଜିଲାନ୍ସ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ୍ କଲିକତା ଯାଇଥିବାବେଳେ ସେଠାରୁ ଆସନ୍ତାକାଲି ଓଡ଼ିଶା ଅଣାଯାଇ ହୁଏତ ଶେଷକୃତ୍ୟ କରାଯିବାର ରହିଛି କିନ୍ତୁ ସେ ବାବଦରେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ ।

