
ଆଜି ରାତିରୁ ପୁରୀ ସହରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଲାଗି ୧୪୪ ଧାରା ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଯାଏ ଏହା ବଳବତ୍ତର ରହିବ। କୋଭିଡ କଟକଣା ମଧ୍ୟରେ ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ହେବ।
ସେଥିଲାଗି ପୁରୀ ସହରରେ ୧୪୪ ଧାରା ଲାଗୁ କରିବା ସହ ସେବାୟତମାନଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯାଇଛି । ଆସନ୍ତାକାଲି ଶ୍ରୀଜିଉ ସ୍ନାନବେଦୀକୁ ବିଜେ କରିବେ । ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ।
କୋଭିଡ୍ ସ୍ଥିତିରୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ରଥଯାତ୍ରା ଲାଗି ଗତକାଲି ରାତିରୁ ଶ୍ରୀମନ୍ଦିରକୁ ଦଇତା ପ୍ରବେଶ ନୀତି ଆରମ୍ଭ ହୋଇଛି । ମଙ୍ଗଳ ଆଳତି ପରେ ବିଭିନ୍ନ ବାଡ଼ର ଦଇତା ସେବକ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି।
ସ୍ନାନଯାତ୍ରା ଲାଗି ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଶ୍ରୀଜିଉ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ। ୨୪ ତାରିଖ ସକାଳୁ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ। ଅପରାହ୍ନରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଏହାପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ।