
ମହାପ୍ରଭୁଙ୍କ ମହାସ୍ନାନ ପରେ ଏବେ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଏବେ ଜ୍ୱରରେ ପଡିଛନ୍ତି ମହାବିଗ୍ରହ । ଯାହାଫଳରେ ଏବେ ଜାରି ରହିଛି ମହାପ୍ରଭୁଙ୍କ ଅନବସର ନୀତି ।
ସ୍ୱତନ୍ତ୍ର ନୀତି କାନ୍ତିରେ କରାଯାଉଛି ବଡ ଦିଅଁଙ୍କ ସେବା । ଏବେ ମହାପ୍ରଭୁ ଅଣସରରେ ରହିଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି ଓ ପଟି ଦିଅଁ ପୂଜା ପାଉଛନ୍ତି । ସେପଟେ ଅଣସର ସମୟରେ ମହାପ୍ରଭୁଙ୍କୁ ଅଲାରନାଥରେ ଦର୍ଶନ କରାଯାଇଥାଏ ଯାହା ପାଇଁ ଏହି ସମୟରେ ବ୍ରହ୍ମଗିରି ଅଲାରନାଥ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ।
ଚଳିତ ବର୍ଷ କିନ୍ତୁ କରୋନା କଟକଣା ମଧ୍ୟରେ ସ୍ନାନଯାତ୍ରା ହୋଇଥିବାରୁ ମହାପ୍ରଭୁଙ୍କ ସମସ୍ତ ନୀତି କଟକଣା ମଧ୍ୟରେ କରାଯାଉଛି । ଅଲାରନାଥ ପୀଠ ରେ ଏହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ ହୋଇଛି ।
ଏପଟେ ମହାପ୍ରଭୁଙ୍କ ଅନବସର ନୀତିରେ ଏବେ ସ୍ୱତନ୍ତ୍ର ଗୁପ୍ତ ନୀତି ଦ୍ୱରା ମହାପ୍ରଭୁଙ୍କ ଜ୍ୱର ଭଲ କରିବା ସେବାୟତ ମାନେ ଲାଗିପଡିଛନ୍ତି ।
ଅଣସର ପିଣ୍ଡିରେ ସେବାୟତଙ୍କ ଦ୍ୱାରା ଜାରି ରହିଥିବା ଗୁପ୍ତ ନୀତିରେ ଆଜି ମହାପ୍ରଭୁଙ୍କରେ ଓଦା ବସ୍ତ୍ର ଲାଗି କରାଯିବ ।