
ଆତଙ୍କବାଦୀମାନଙ୍କୁ ଭଲ ବାଟକୁ ଫେରାଇ ଆଣିବାରେ ଭାରତୀୟ ସେନା ସଫଳ ହେଉଛି । ଶୁକ୍ରବାର ଦକ୍ଷିଣ କଶ୍ମୀରର ଶୋପିଆ ଜିଲ୍ଲାର ହାଞ୍ଜିପୋରା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏଠାରେ ସେନାର ପରାମର୍ଶ କ୍ରମେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି । ସେନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ଭିଡିଓ ସେୟାର କରିଛି । ହାଂଜୀପୋରା ଅଂଚଳରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ମୃତ ଆତଙ୍କବାଦୀର ସାଥୀ ଲୁଚିଥିଲା । ଅନ୍ୟ ଆତଙ୍କବାଦୀକୁ ସେନା ଆତ୍ମସମର୍ପଣ କରାଇବାରେ ରାଜି କରାଇଥିଲା । ଘଟଣାସ୍ଥଳରେ ସେନାର ଯବାନମାନେ ଆତଙ୍କବାଦୀକୁ ଘେରି ଯାଇଥିଲେ । ଶେଷରେ ଆତଙ୍କବାଦୀ ଜଣକ ଅନ୍ୟ ଉପାୟ ନପାଇ ନିଜର ଏକେ-୫୬ ରାଇଫଳ ସହିତ ଆତ୍ମସମର୍ପଣ କରିଥିଲା । ପୋଲିସ କହିବା ଅନୁସାରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଏବାର ଆତଙ୍କବାଦୀର ଉପସ୍ଥିତି ସଂପର୍କରେ ସୂଚନା ମିଳିବାର ଅଳ୍ପ ସମୟ ମଧ୍ୟରେ ତଲାଶୀ ଅଭିଯାନ ଆରମ୍ଭ କରାଯାଇଥିଲା । ଆତଙ୍କବାଦୀ ଥିବା ସ୍ଥାନକୁ ସୁରକ୍ଷା ବାହିନୀ ଯେତେବେଳେ ପହଂଚିଯାଇଥିଲେ, ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଲୁଚିଯାଇଥିଲା ଏବଂ ପରେ ସେ ଆତ୍ମସମର୍ପଣ କରିଥିଲା ।