
କମିଶନରେଟ ପୋଲିସ ଜଣେ ସିରିଜ ବିବାହ କରୁଥିବା ବିଲ୍ଡରଙ୍କୁ ଗିରଫ କରିଛି । ସେ ପେଶାରେ ବିଲ୍ଡର କିନ୍ତୁ ନିଶାରେ ଏକାଧିକ ଯୁବତୀଙ୍କ ବର । ବିଲ୍ଡର କହି ମୋଟା ଅଙ୍କର ଯୌତୁକ ମଧ୍ୟ ଆଣୁଥିଲେ ।
ଗିରଫ ବିଲ୍ଡରଙ୍କ ନାଁ ପ୍ରିୟବ୍ରତ ମିଶ୍ର । ମିଛ କହି ଏକାଧିକ ଯୁବତୀଙ୍କୁ ବିବାହ କରିବା ଅଭିଯୋଗରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଦୁଇଟି ଥାନାରେ ମାମଲା ରୁଜୁ ହୋଇଥିଲା ।
ପ୍ରଥମ ଏତଲା କ୍ୟାପିଟାଲ ଥାନାରେ ଦିଆଯାଇଥିବା ବେଳେ ମହିଳା ଥାନାରେ ଆଉ ଏକ ଅଭିଯୋଗ ହୋଇଛି । ଥାନାରେ ବିବାହ ସମୟର ବିଭିନ୍ନ ଫଟୋ, ନିମନ୍ତ୍ରଣ ପତ୍ର ଓ ଅନ୍ୟ ପ୍ରମାଣପତ୍ର ଅଭିଯୋଗକାରିଣୀ ଦାଖଲ ଦେଇଛନ୍ତି ।
ବିବାହ ବେଳର ଉଠାଯାଇଥିବା ଅନେକ ଫଟୋରୁ ଜଣା ପଡୁଥିଲା ଏହା ସଂଭ୍ରାନ୍ତ ଘରର ବିବାହ । କାରଣ ଏହି ବିବାହରେ ବର ସାଜିଥିଲେ ଜଣେ ବିଲ୍ଡର । ତେବେ ବର ସାଜିଥିବା ଏହି ବ୍ୟକ୍ତି ଜଣକ ଏଭଳି ଥରେ ନୁହେଁ ବରଂ ଏକାଧକ ଥର ବର ସାଜିଛନ୍ତି । ଅର୍ଥାତ ନିଜକୁ ଅବିବାହିତ ଦର୍ଶାଇ ଏକାଧିକ ଯୁବତୀଙ୍କ ସହ ବେଦୀରେ ବର ସାଜି ଅଗ୍ନିକୁ ସାକ୍ଷୀ ରଖି ହାତଗଣ୍ଠି ପକାଇଛନ୍ତି ।
କେବଳ ହାତଗଣ୍ଠି ପକାଇ ନାହାନ୍ତି ମୋଟା ଅଙ୍କର ଯୌତୁକ ବି ଆଣିଛନ୍ତି । ବିବାହରେ ନିମନ୍ତ୍ରଣ କାର୍ଡ ସହ ଭୋଜିଭାତର ଆସର କରି ଲୋକଙ୍କୁ ଭୂଆଁ ବୁଲାଇ ବାରମ୍ବାର ବିବାହ କରିଥିବା ଅଭିଯୋଗ ହୋଇଛି ।