ଚତୁର୍ଦ୍ଧାବିଗ୍ରହଙ୍କ ଆଜି ନୀଳାଦ୍ରି ବିଜେ, ଅପରାହ୍ନ ୪ଟାରେ ପହଣ୍ଡି-

ଚତୁର୍ଦ୍ଧାବିଗ୍ରହଙ୍କ ଆଜି ନୀଳାଦ୍ରି ବିଜେ, ଅପରାହ୍ନ ୪ଟାରେ ପହଣ୍ଡି-

ଆଜି ଶ୍ରୀଜିଉମାନେ ନୀଳାଦ୍ରି ବିଜେ କରିବେ । ରଥ ଉପରେ ଥିବା ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରାଇବେ ସେବାୟତମାନେ । ନୀଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । 

ଗତକାଲି ଅଧରପଣା ନୀତି ଶେଷ ହେବା ପରେ ନୀଳାଦ୍ରି ବିଜେ ପାଇଁ ଆବଶ୍ୟକ ନୀତି ଆରମ୍ଭ ହୋଇଯାଇଛି । ଏହି ଅନୁସାରେ ଆଜି ଭୋର ୪ଟାରୁ ତିନି ରଥରେ ମଙ୍ଗଳ ଆଳତି କରାଯାଇଛି । ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ବେଶ ଶେଷ ହୋଇଛି । ୬ଟା ୩୦ରେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ, ୮ଟା ୩୦ରେ ମଇଲମ, ୯ଟା ୩୦ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ୧୦ଟାରେ ବେଶ ଶେଷ, ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ, ପୂର୍ବାହ୍ନ ୧୧ଟା ୪୫ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ମଇଲମ ଓ ବେଶ, ୧୨ଟା ୧୫ରେ ସନ୍ଧ୍ୟା ଆଳତି, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୧ଟା ୩୦ ଯାଏଁ ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ । 

ସେହିପରି ଦିନ ଗୋଟିଏରୁ ୩ଟା ୩୦ ମଧ୍ୟରେ ତିନି ରଥରେ ଚାରବନ୍ଧା ସରିବା ପରେ ୩ଟାରେ ସିଂହାସନ ମାଜଣା କରାଯିବ । ୩ଟା ୫୦ରେ ପୁଷ୍ପାଂଜଳି ପରେ ଅପରାହ୍ନ ୪ଟାରେ ପଣ୍ଡି ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ହେବା ପରେ ରୁଦ୍ଧା କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । 

ରାତି ୨ଟା ୩୦ରେ ସୁଦର୍ଶନ ସିଂହାସନକୁ ବିଜେ କରିବେ । ରାତି ୨ଟା ୪୫ରେ ଚକା ପୋଛା, ୩ଟାରେ ସିଂହାସନ ଧୁଆ, ୩ଟା ୧୦ରେ ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ କରିବେ । ୩ଟା ୩୦ରେ ମହାସ୍ନାନ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି ପରେ ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ୱାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ୫ଟାରେ ପହୁଡ଼ ପଡ଼ିବ ।  

Leave a Reply

Your email address will not be published. Required fields are marked *