
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଉତ୍ତର ପ୍ରଦେଶ ଗସ୍ତରେ ରହିବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ‘ବାରାଣସୀ’ ମଧ୍ୟ ଯିବେ । ବାରାଣସୀରେ ପହଂଚି ଶାହା ଭଗବାନ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବେ । ଗୃହମନ୍ତ୍ରୀଙ୍କ ଏହି ଗସ୍ତରେ ଉତ୍ତରପ୍ରଦେଶକୁ ଏକାଧିକ ଉପହାର ମିଳିବ । ଅମିତ ଶାହା ବିନ୍ଧ୍ୟବାସିନୀ କରିଡରର ଶିଳାନ୍ୟାସ କରିବେ । ଶାହା କହିଛନ୍ତି ଯେ, ଏହି କରିଡର ନିର୍ମାଣ ହେବା ପରେ ଶକ୍ତିପୀଠ ଆଧ୍ୟାତ୍ମିକ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ହୋଇଯିବ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତର ପ୍ରଦେଶ ଗସ୍ତରେ ଏକାଧିକ ପ୍ରକଳ୍ପକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯିବ । ସରକାର ଚାହୁଁଛନ୍ତି ଯେ, ଲୋକଙ୍କ ନିକଟରେ ସର୍ବାଧିକ ଯୋଜନା ପହଂଚୁ । ଶାହା ଆଜି ଲଖନଉରେ ଉତ୍ତର ପ୍ରଦେଶ ଷ୍ଟେଟ ଇଷ୍ଟିଚ୍ୟୁଟ ଅଫ ଫରେନସିକ ସାଇସେସ ୟୁନିଭରସିଟି ପାଇଁ ଶିଳାନ୍ୟାସ କରିବେ । ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଶାହା ଲଖନଉ ବିମାନବନ୍ଦରରେ ପହଂଚିବେ । କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଅପରାହ୍ନ ୧ଟା ୩୫ରେ ପିପରସଣ୍ଡରୁ ହେଲିକପ୍ଟର ମାଧ୍ୟମରେ ମିର୍ଜାପୁର ଯିବେ । ଅପରାହ୍ନ ୨ଟା ୪୦ରେ ସେ ମିର୍ଜାପୁର ପହଂଚି ୩ଟାରେ ବିନ୍ଧ୍ୟବାସିନୀ ମନ୍ଦିର ଯିବେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମା’ ବିନ୍ଧ୍ୟବାସିନୀ କରିଡ଼ର ପାଇଁ ଶିଳାନ୍ୟାସ କରିବେ । ଏଥି ସହିତ ରୋପୱେ ସମେତ ଅନେକ ଯୋଜନାର ଲୋକାର୍ପଣ କରିବେ । ସେ ଅପରାହ୍ନ ୪ଟା ୪୦ରେ ବାରାଣସୀରେ ପହଂଚିବେ । ସନ୍ଧ୍ୟା ୫ଟା ୨୫ରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବେ । ଅମିତ ଶାହା ୬ଟା ୨୦ରେ ବାବତପୁର ବିମାନବନ୍ଦରରୁ ଦିଲ୍ଲୀ ଫେରିବେ ।