
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଦ୍ୱାରା ୨୪ ଟି ବିଶ୍ୱବିଦ୍ୟାଳୟକୁ ନକଲି ଘୋଷଣା କରାଯାଇଛି । ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରଧାନ କହିଛନ୍ତି ଯେ ଛାତ୍ର, ଅଭିଭାବକ ଏବଂ ସାଧାରଣ ଜନତାଙ୍କ ଅଭିଯୋଗ ଆସିବା ପରେ ପଦକ୍ଷେପ ନିଆଯାଇଛି। କିଛି ସୂଚନା ଇଲେକ୍ଟ୍ରୋନିକ୍ ପ୍ରିଣ୍ଟ ମିଡିଆ ମାଧ୍ୟମରେ ମଧ୍ୟ ଆସିଛି ବୋଲି ସେ କହିଛନ୍ତି।
ତେବେ ଚିହ୍ନଟ ହୋଇଥିବା ଏହି ୨୪ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ ୧୬ ଟି ହୋଇଥିବା ବେଳେ ଏହା ପଛକୁ ଦିଲ୍ଲୀରେ ୭ ଟି,ପଶ୍ଚିମବଙ୍ଗ ଏବଂ ଓଡିଶାରେ ଦୁଇଟି ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଛି । ଏହା ପରେ କର୍ଣ୍ଣାଟକ,କେରଳ,ମହାରାଷ୍ଟ୍ର,ପଡୁଚେରିରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଛି ।
ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୋଧରେ ୟୁଜିସି ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନ କହିଛନ୍ତି ଯେ ଜାତୀୟ ହିନ୍ଦୀ ଏବଂ ଇଂରାଜୀ ଖବରକାଗଜରେ ନକଲି ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନ ତାଲିକା ବିଷୟରେ ସର୍ବସାଧାରଣ ବିଜ୍ଞପ୍ତି ଜାରି କରାଯାଇଛି।
ସେ କହିଛନ୍ତି ଯେ ଆୟୋଗ ସେମାନଙ୍କ ଅଧୀନରେ ଥିବା ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ସଚିବ, ଶିକ୍ଷା ସଚିବ ଏବଂ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି।
ୟୁଜିସି ଅଧିନିୟମ, ୧୯୫୬ ର ଉଲ୍ଲଂଘନ କରୁଥିବା କୌଣସି ସ୍ୱୟଂ ପରିଚାଳିତ ଅନୁଷ୍ଠାନ କିମ୍ବା ଅବୈଧ ଡିଗ୍ରୀ ପ୍ରଦାନ କରୁଥିବା ଅନଧିକୃତ ଅନୁଷ୍ଠାନଗୁଡିକୁ କାରଣ ଦର୍ଶାଇବା ଏବଂ ଚେତାବନୀ ନୋଟିସ୍ ଜାରି କରାଯାଇଛି ।

