ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୫ ୱିକେଟ୍‌ରେ ବିଜୟୀ:  ସୂର୍ଯ୍ୟକୁମାର-ରୋହିତ ହିରୋ ସାଜିଲେ-

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୫ ୱିକେଟ୍‌ରେ ବିଜୟୀ: ସୂର୍ଯ୍ୟକୁମାର-ରୋହିତ ହିରୋ ସାଜିଲେ-

ଭାରତୀୟ କ୍ରିକେଟ୍‌ ଟିମ୍‌ ବୁଧବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ରୋହିତ ଆମନ୍ତ୍ରଣ କରିଥିଲେ। ଅତିଥି ଟିମ୍‌ ଘରୋଇ ଦଳକୁ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲେ, ଯାହାକୁ ଟିମ୍‌ ଇଣ୍ଡିଆ ୨ଟି ବଲ୍‌ ବାକି ଥାଇ ୫ୱିକେଟ୍‌ ହରାଇ ହାସଲ କରିଥିଲା। 

ଭାରତର ବିଜୟ ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ ଓ ରୋହିତ ଶର୍ମା, ଯେଉଁମାନେ କି କ୍ରମଶଃ ୬୨ ଓ ୪୮ ରନ୍‌ କରିଥିଲେ। ସୂର୍ଯ୍ୟକୁମାର ୪୦ଟି ବଲ ଖେଳି ନିଜ ଇନିଂସରେ ୬ଟି ଚୌକା ଓ ୩ଟି ଛକା ମାରିଥିଲେ। ରୋହିତ ୩୬ଟି ବଲ ସାମ୍ନା କରି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। 

କେଏଲ୍‌ ରାହୁଲ ୧୫ ରନ୍‌ ସଂଗ୍ରହ କରି ଆଉଟ ହୋଇଯାଇଥିଲେ। ଟି-୨୦ ବିଶ୍ବକପରୁ ବାଦ୍‌ ପଡ଼ିବା ପରେ ଦଳକୁ ଫେରିଥିବା ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ଭଲ ନଥିଲା ଏବଂ ସେ ୫ ରନ୍‌ ସଂଗ୍ରହ କରି ଆଉଟ ହୋଇଯାଇଥିଲେ। ନିଜର ପଦାର୍ପଣ ମ୍ୟାଚରେ ଭେଙ୍କଟେଶ ଆୟର ପଡ଼ିଆକୁ ପ୍ରବେଶ କରିବା ମାତ୍ରେ ଡେରିଲ ମିଚେଲଙ୍କ ବଲ୍‌କୁ ଚୌକା ମାରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ରିଭର୍ସ ସୁଇପ୍‌ କରିବାକୁ ପ୍ରୟାସ କରି ରବିନ୍ଦ୍ର ରଚିନଙ୍କୁ କ୍ୟାଚ୍‌ ଦେଇଥିଲେ। ଋଷଭ ପନ୍ତ ବିଜୟର ଚୌକା ମାରି ଟିମ୍‌ ଇଣ୍ଡିଆକୁ ଜିତାଇଥିଲେ। 

ଏହା ପୂର୍ବରୁ ମାର୍ଟିନ ଗୁପ୍ଟିଲଙ୍କ ଓ ମାର୍କ ଚ୍ୟାମ୍ପମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୪ ରନ୍‌ ସଂଗ୍ରହ କରିଥିଲା। ଗୁପ୍ଟିଲ ୪୨ଟି ବଲ ଖେଳି ୭୦ ଓ ଚ୍ୟାମ୍ପମ୍ୟାନ୍‌ ୫୦ଟି ବଲ୍‌ ସାମ୍ନା କରି ୬୩ ରନ୍‌ ସଂଗ୍ରହ କରିଥିଲେ। ଏକଦା ନ୍ୟୁଜିଲାଣ୍ଡର ସ୍କୋର ୧୮୦ ରନ୍‌ ଅତିକ୍ରମ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଓଭରରେ ୨ଟି ୱିକେଟ୍‌ ନେଇ ବର୍ଦ୍ଧିତ ରନ୍‌ରେଟ୍‌ ହାରରେ ବ୍ରେକ୍‌ ଲଗାଇଥିଲେ। 

Leave a Reply

Your email address will not be published. Required fields are marked *