
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଆଜି ଏହା ଘୋଷଣା କରିଛନ୍ତି। ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କୋବିନ୍ଦଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ୧୮ରେ ଭୋଟ୍ ଗ୍ରହଣ ହେବ। ସାଂସଦ ଏବଂ ବିଧାୟକମାନଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବ। କମିସନଙ୍କ ସୂଚନା ଅନୁଯାୟୀ ଜୁନ୍ ୧୫ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ। ଜୁନ୍ ୨୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଜୁନ୍ ୩୦ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଜୁଲାଇ ୨ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ଆବଶ୍ୟକ ପଡ଼ିଲେ ଜୁଲାଇ ୧୮ରେ ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍ ଗଣତି କରାଯିବ। ସଂସଦ ଭବନ ଏବଂ ରାଜ୍ୟ ବିଧାନସଭା ପରିସରରେ ଭୋଟ୍ ଗ୍ରହଣ କରାଯିବ। ସାଂସଦମାନେ ସଂସଦରେ ଭୋଟ୍ ଦେବେ ଏବଂ ବିଧାୟକମାନେ ନିଜ ନିଜ ରାଜ୍ୟ ବିଧାନସଭାରେ ଭୋଟ୍ ଦେବେ।