ଶପଥ ନେଲେ ଓଡିଶା ହାଇକୋର୍ଟର ୨ ନୂଆ ବିଚାରପତି

ଶପଥ ନେଲେ ଓଡିଶା ହାଇକୋର୍ଟର ୨ ନୂଆ ବିଚାରପତି

କଟକ :ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଏବଂ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ଶପଥ ନେଇଛନ୍ତି । ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିଲେ । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଉଭୟଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଶପଥପାଠ କରାଇଛନ୍ତି । ଗତ ମାସ ୨୭ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍‌ ପକ୍ଷରୁ ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ବଦଳି ସଂକ୍ରାନ୍ତ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କୁ କୋଲକାତା ହାଇକୋର୍ଟକୁ ବଦଳି କରାଯାଇଥିଲା ବେଳେ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ୍‌ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ପୂର୍ବରୁ କଲେଜିୟମ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିଲା । କିଛି ଦିନ ତଳେ ତାଙ୍କ ନିଯୁକ୍ତି ଉପରେ କେନ୍ଦ୍ର ସରକାର ମୋହର ମାରିବା ପରେ ଶୁକ୍ରବାର ଉଭୟ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ।

Leave a Reply

Your email address will not be published. Required fields are marked *