
ଲୋକଙ୍କ ଉପରେ ଗାଡି ମଡ଼ାଇଦେବା ଘଟଣାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର ଜେଏମ୍ଏଫ୍ସି କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଜାମିନ ପାଇବାପରେ ଆଜି ଅପରାହ୍ନ ସାଢ଼େ ୪ଟାରେ ବାଣପୁର ସବ୍ଜେଲ୍ରୁ ସେ ବାହାରିଛନ୍ତି। ଏକବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚନମଣ୍ଡଳୀରେ ରହିପାରିବେନାହିଁ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ଆରୋପ କରିଥିବାରୁ ଜେଲ୍ରୁ ମୁକୁଳିବା ପରେ ବିଧାୟକ ଶ୍ରୀ ଜଗଦ୍ଦେବ ସିଧା ଭୁବନେଶ୍ବର ଯାଇଥିବା ଜଣାପଡ଼ିଛି। ଗତକାଲି ସୁପ୍ରିମକୋର୍ଟ ବିଧାୟକ ଶ୍ରୀଜଗଦ୍ଦେବଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବିଧାୟକଙ୍କ ଓକିଲ ମାନସ ଚାନ୍ଦ ଆଜି ବାଣପୁର ଜେଏମ୍ଏଫ୍ସିଙ୍କ କୋର୍ଟରେ ଜାମିନ ଆବେଦନ କରିଥିଲେ। ସୁପ୍ରିମକୋର୍ଟଙ୍କ ସର୍ତ୍ତ ସମେତ ତିରିଶ ହଜାର ଜମାନତ ଟଙ୍କା ଓ ଦୁଇଜଣ ଜାମିନଦାରଙ୍କ ମୁଚାଲିକାରେ ବାଣପୁର କୋର୍ଟ ବିଧାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି।

