
ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଛି। ଓଡ଼ିଶା ଜୁଡିସିଆଲ ଏକାଡେମିଠାରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ‘ଲୟର୍ ଅଫ ଦି ଇୟର-୨୦୨୧’ ଆୱାର୍ଡ ବିଭିନ୍ନ ଜିଲ୍ଲାର ୨୨ଜଣ ଟ୍ରାଏଲ କୋର୍ଟ ଆଇନଜୀବୀଙ୍କୁ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର। ସେ କହିଥିଲେ ଯେ ଯେଉଁ ଯୁବ ଆଇନଜୀବୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି, ସେମାନେ ପରପିଢ଼ି ପାଇଁ ରୋଲ୍ମଡେଲ ହେବେ। ସବୁସମୟରେ ଆଇନଜୀବୀମାନେ ଯେ କୌଣସି କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟ ବିଚାରପତି ଆହ୍ବାନ ଦେଇଥିଲେ। ହାଇକୋର୍ଟ ସମେତ ନିମ୍ନ ଅଦାଲତ ଭିତ୍ତିଭୂମି ସୁଦୃଢ଼ କରାଯାଇଥିବାବେଳେ ଆଗାମୀଦିନରେ ଏହାକୁ ଆହୁରି ମଜଭୁତ କରାଯିବ ବୋଲି ସେ କହିଥିଲେ। କେତେକ ଜିଲ୍ଲାରେ ଯୁବ ମହିଳା ଆଇନଜୀବୀ ପୁରସ୍କାର ପାଇଁ ଚୟନ ହୋଇଥିବାରୁ ମୁଖ୍ୟ ବିଚାରପତି ଖୁସି ବ୍ୟକ୍ତ କରିଥିଲେ। ଆୟୋଜିତ ଉତ୍ସବରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ବାର କାଉନସିଲର ପ୍ରାକ୍ତନ ଅଧ୍ୟକ୍ଷ ଗୋପାଳ ସୁବ୍ରମଣ୍ୟମ ଯୋଗଦେଇ ଅଦାଲତରେ ମାମଲା ପରିଚାଳନାରେ ଆଇନଜୀବୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜଷ୍ଟିସ କୃଷ୍ଣରାମ ମହାପାତ୍ର, ଜଷ୍ଟିସ ଶଶିକାନ୍ତ ମିଶ୍ର , ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଅଲ୍ ଓଡ଼ିଶା ଲୟର୍ସ ଫେଡେରେସନ ସଭାପତି ନିର୍ମଳ କିଶୋର ରଥ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।

