ମାର୍କ ପାଇଁ ଶିକ୍ଷକ ଓ କିରାଣିଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର, ଭିଡିଓ ଭାଇରାଲ

ମାର୍କ ପାଇଁ ଶିକ୍ଷକ ଓ କିରାଣିଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର, ଭିଡିଓ ଭାଇରାଲ

ଝାଡ଼ଖଣ୍ଡର ଦୁମକା ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିଦ୍ୟାଳୟର ଛାତ୍ରମାନେ ସ୍କୁଲର ସହାୟକ ଶିକ୍ଷକ କୁମାର ସୁମନ ଓ କ୍ଲର୍କ ସୋନେରାମ ଚୌଡ଼େଙ୍କୁ ଆମ୍ବ ଗଛରେ ବାନ୍ଧି ଖୁବ୍‌ ପିଟିଛନ୍ତି। ଯଦିଓ କିଛି ସମୟ ପରେ ସେମାନଙ୍କୁ ଖୋଲି ଦିଆଯାଇଥିଲା, କିନ୍ତୁ ପରେ ସହାୟକ ଶିକ୍ଷକ ନିକଟସ୍ଥ ହସ୍ପିଟାଲ ଯାଇ ନିଜର ଚିକିତ୍ସା କରାଇଥିଲେ। ଛାତ୍ରମାନେ ମାରପିଟ ବେଳର ଭିଡିଓ ମଧ୍ୟ ରେକର୍ଡ କରିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ, ବିଡିଓ ଏବଂ ବିଇଓ ବିଦ୍ୟାଳୟରେ ପହଞ୍ଚି ଏ ନେଇ ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ଶିକ୍ଷକମାନଙ୍କୁ ପଚରାଉଚରା କରିଥିଲେ। ଏଥିସହ ଛାତ୍ରମାନଙ୍କୁ ମଧ୍ୟ ଏ ବିଷୟରେ ପଚାରିଥିଲେ। ଛାତ୍ରମାନେ କହିଛନ୍ତି, ସେମାନଙ୍କୁ ପ୍ରାକ୍ଟିକାଲରେ ନମ୍ବର ଦିଆଯାଇ ନାହିଁ, ଯେଉଁ କାରଣରୁ ସେମାନେ ଫେଲ୍‌ ହୋଇଛନ୍ତି।ସମସ୍ତ ଛାତ୍ର ୯ମ ଶ୍ରେଣୀର। ସେମାନଙ୍କ କହିବା ହେଲା, ମୋଟ ୩୬ଜଣ ପିଲା ପରୀକ୍ଷା କରିଥିଲେ। ଗତ ଶନିବାର ରେଜଲ୍ଟ ବାହାରିଥିଲା। ହେଲେ ୧୧ ଜଣ ଛାତ୍ରଙ୍କୁ ଦୁଇଟି ବିଷୟରେ ଡି-ଡିଗ୍ରୀ ଆସିଛି। ଏ ନେଇ ସେମାନେ ପ୍ରଧାନ ଆଚାର୍ଯ୍ୟଙ୍କୁ ଜଣାଇଥିଲେ। ପ୍ରଧାନ ଆଚାର୍ଯ୍ୟ କହିଥିଲେ କି, ଶିକ୍ଷକ କୁମାର ସୁମନ ସେମାନଙ୍କୁ ନମ୍ବର ଦେଇଛନ୍ତି।ଏହାପରେ ଛାତ୍ରମାନେ ସମ୍ପୃକ୍ତ ଶିକ୍ଷକଙ୍କ ପାଖକୁ ଯାଇ କଥା ହୋଇଥିଲେ, କିନ୍ତୁ ଶିକ୍ଷକ ଜଣକ ବିରକ୍ତି ପ୍ରକାଶ କରି ସେଠାରୁ ପଳାଇ ଯାଇଥିଲେ। ଏହାକୁ ନେଇ ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପୁଣି ଛାତ୍ରମାନେ କ୍ଲର୍କଙ୍କ ପାଖକୁ ଯାଇଥିଲେ ହେଁ କ୍ଲର୍କ ଜଣକ କୌଣସି ଉତ୍ତର ଖାତା ଦେଖାଇବାକୁ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ସହାୟକ ଶିକ୍ଷକ ଓ କ୍ଲର୍କଙ୍କୁ ମାଡ଼ ମାରି ଦୁହିଁଙ୍କୁ ବିଦ୍ୟାଳୟ ପରସରସ୍ଥ ଆମ୍ବ ଗଛରେ ବାନ୍ଧି ଦେଇଥିଲେ।

Leave a Reply

Your email address will not be published. Required fields are marked *