
ଆଗ୍ରାର ତାଜମହଲ ଦୁନିଆର ଅନ୍ୟତମ ଆଶ୍ଚର୍ଯ୍ୟ। ହେଲେ ଏହାର ଅସ୍ତିତ୍ୱକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି। ଯେଉଁଠି ଗୋଟିଏ ପଟେ ରାସ୍ତା, ଛକ ଏବଂ ଜିଲ୍ଲା ଗୁଡ଼ିକର ନାମ ବଦଳା ଯାଉଛି, ସେଠି ତାଜମହଲର ନାମ ପରିବର୍ତ୍ତନକୁ ନେଇ ବି ସ୍ୱର ଉଠୁଛି। ଏହାରି ଭିତରେ ତାଜମହଲର ନାମ ବଦଳାଇବା ପାଇଁ ବିଜେପି କାଉନସିଲର ଶୋଭାରାମ ରାଠୋର ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏହା ଉପରେ ଆଗ୍ରା ନଗର ନିଗମ ବୈଠକରେ ଆଲୋଚନା ହେବ। ରାଠୋର କହିଛନ୍ତି କି, ଏବେ ତାଜମହଲର ନାମ ବଦଳାଯିବାର ସମୟ ଆସି ଯାଇଛି। କିନ୍ତୁ ସେପଟେ ଏହି ପ୍ରସ୍ତାବ ଉପରେ ଜଣେ ବରିଷ୍ଠ ଓକିଲ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ଐତିହାସିକ ସ୍ମାରକର ନାମ ବଦଳାଇବାର କ’ଣ ନଗର ନିଗମ ପାଖରେ ଅଧିକାର ଅଛି? ଆଗ୍ରା ନଗର ନିଗମ ସଦନରେ ବିଗତ ବର୍ଷଗୁଡ଼ିକରେ ୮୦ରୁ ଅଧିକ ରାସ୍ତା ଏବଂ ଛକର ନାମ ବଦଳା ଯାଇସାରିଛି। ଏମିତି ସ୍ଥିତିରେ ବିଜେପି କାଉନସିଲରଙ୍କ ପ୍ରସ୍ତାବ ଉପରେ ନଗର ନିଗମର କ’ଣ ପଦକ୍ଷେପ ହେବ, ସେ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି।