ରାଉରକେଲା ଦେଖିବ ବାୟୁସେନାର ‘ଏୟାର୍‌ ସୋ’

ରାଉରକେଲା ଦେଖିବ ବାୟୁସେନାର ‘ଏୟାର୍‌ ସୋ’

ରାଉରକେଲା ବାସୀଙ୍କ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାକୁ ଯାଉଛି। ସହରବାସୀ ପ୍ରଥମଥର ପାଇଁ ରାଉରକେଲାରେ ଭାରତୀୟ ବାୟୁସେନାର ‘ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌’ ଦ୍ବାରା ‘ଏୟାର୍‌ ସୋ’ ଦେଖିବାର ସୁଯୋଗ ପାଇବେ। ଏନେଇ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ବେଗ ଧରିଛି। ହକି ବିଶ୍ବକପ୍‌ ପୂର୍ବରୁ ହକିର ମାହୋଲ ସୃଷ୍ଟି କରିବା ସହ ସହରବାସୀଙ୍କ ବହୁ ଆକାଂକ୍ଷିତ ସ୍ବପ୍ନ ପୂରଣ କରିବା ଉଦ୍ଦେଶ୍ୟରେ ସମ୍ଭବତଃ ଆଗାମୀ ଜାନୁଆରୀ ମାସରେ ରାଉରକେଲାରେ ହେବାକୁ ଥିବା ହକି ବିଶ୍ବକପ୍‌ ପୂର୍ବରୁ ଏୟାର୍‌ ସୋ’ ଅନୁଷ୍ଠିତ ହେବ। ତେବେ ଏଯାଏଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନି। ଏ ଦିଗରେ ଉଭୟ ରାଜ୍ୟ ସରକାର ଓ ଆର୍‌ଏସ୍‌ପି ପ୍ରଶାସନ ପକ୍ଷର ଚୂଡ଼ାନ୍ତ ବୈଠକରେ ନିଷ୍ପତ୍ତି ନିଆଯିବ। କିଛି ଦିନ ପୂର୍ବେ ଆର୍‌ଏସ୍‌ପି ପକ୍ଷରୁ ଏୟାର ସୋ’ ଆୟୋଜନ ପାଇଁ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଭାରତ ସରକାରଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ଆର୍‌ଏସ୍‌ପି ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହି କ୍ରମରେ ଗତ ୧୯ ତାରିଖରେ ଆର୍‌ଏସ୍‌ପି ଇଡି(ପି ଆଣ୍ଡ୍‌ ଏ) ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ଇ-ମେଲ ମାଧ୍ୟମରେ ଅନୁମତି ମାଗିଥିଲେ। ଏହାର ଜବାବରେ ଗତ ୨୨ ତାରିଖ ରାଜ୍ୟ ସରକାରଙ୍କ ଅନୁସଚିବ କଳ୍ପତରୁ ରାଉତରାୟ ଜବାବ ରଖିଛନ୍ତି। ଏୟାର ସୋ’ ଆୟୋଜନ କରିବାକୁ ଆନୁଷ୍ଠାନିକ ଅନୁମତି ଦେଇଛନ୍ତି। ଏହାସହ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନାକରି ତାରିଖ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ଖବର ରାଉରକେଲାବାସୀଙ୍କ ମନରେ ଖୁସିର ଲହରୀ ଖେଳାଇଦେଇଛି।

Leave a Reply

Your email address will not be published. Required fields are marked *