
ଆସନ୍ତା ବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ରେ ଭାରତୀୟ ଦଳ ଅଂଶଗ୍ରହଣ କରିପାରେ। ଫଳରେ ୧୫ ବର୍ଷ ପରେ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବା ନେଇ ଆଶା ଦେଖାଦେଇଛି। ଶେଷଥର ପାଇଁ ୨୦୦୮ରେ ଏସିଆ କପ୍ ଖେଲିବାକୁ ପାକିସ୍ତାନ ଗସ୍ତ କରିଥିଲା ଭାରତ। ଏହାପରଠାରୁ ଉଭୟ ଦେଶ ମଧ୍ୟରେ କୁଟନୈତିକ ସଂପର୍କ ଖରାପ ଯୋଗୁଁ ଭାରତ ଆଉ ପାକିସ୍ତାନ ଯାଉନଥିଲା। ଏବେ ୨୦୨୩ ଏସିଆ କପ୍କୁ ଦଳ ପଠାଇବ ନା ନାହିଁ ସେନେଇ ଆସନ୍ତା ୧୮ ତାରିଖରେ ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ସ୍ଥିର ହେବ। ଏଥିପାଇଁ ବିଭିନ୍ନ ରାଜ୍ୟ ସଂଘମାନଙ୍କୁ ପଠାଯାଇଥିବା ସକୁର୍ଲାରରୁ ଏହା ବାରି ହେଉଛି। ଏହି ସର୍କୁଲାରରେ ଆସନ୍ତା ବର୍ଷ ହେବାକୁଥିବା ଆଇସିସିର କିଛି ବଡ଼ ପ୍ରତିଯୋଗିତା ସଂପର୍କରେ ଉଲ୍ଲେଖ କରାଯାଇଛି। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଶେଷ ହେବା ପରେ ୧୯ ବର୍ଷରୁ କମ୍ ମହିଳା ବିଶ୍ବକପ୍ ସେହିଠାରେ ଆୟୋଜନ ହେବ। ପରେ ପାକିସ୍ତାନରେ ଏସିଆ କପ୍ ଓ ଭାରତରେ ଆଇସିସି କ୍ରିକେଟ ବିଶ୍ବକପ୍ ଆୟୋଜନ ହେବାର ଅଛି। ବର୍ଷର ଦ୍ବିତୀୟାର୍ଧରେ ପାକିସ୍ତାନରେ ଏସିଆ କପ୍ ଶେଷ ହେବା ପରେ ଭାରତରେ ବିଶ୍ବକପ୍ ଖେଳାଯିବ। ତେଣୁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ତାହା ଏଜିଏମ୍ରେ ଆଲୋଚନା ହେବ। ହେଲେ ଏସଂପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନଥିଲେ ବି ସମ୍ପାଦକ ଜୟ ଶାହ ଏବେ ଏସୀୟ କ୍ରିକେଟ ପରିଷଦର ସଭାପତି ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ। ନଚେତ୍ ଏଭଳି ପ୍ରତିଯୋଗିତା ଆୟୋଜନ ପାଇଁ ୟୁଏଇ ସବୁବେଳେ ନିରପେକ୍ଷ ବିକଳ୍ପ ସ୍ଥାନ ଭାବେ ଉପଲବ୍ଧ ରହିଛି।