
ବିଶ୍ବର ନାମୀଦାମୀ ଚିତ୍ରଶିଳ୍ପୀଙ୍କ ବଛାବଛା ଚିତ୍ରକୁ ନେଇ ହେବ ଚିତ୍ରକଳା ପ୍ରଦର୍ଶନୀ। ପୁରୀ ଲଳିତ କଳା ଆର୍ଟ ଗ୍ୟାଲେରି ପରିସରରେ ପ୍ରଦର୍ଶନୀ ଉପଭୋଗ କରିବାର ସୁଯୋଗ ପାଇବେ କଳାପ୍ରେମୀ। ରାଜ୍ୟରେ ପ୍ରଥମଥର ପାଇଁ ଏକକାଳୀନ ୯ଟି ଦେଶର ଚିତ୍ରକଳା ପ୍ରଦର୍ଶିତ ହେବ। ୫୬ ଜଣ ଚିତ୍ରଶିଳ୍ପୀଙ୍କର ୬୦ରୁ ଅଧିକ ଚିତ୍ର ଏଠାରେ ପ୍ରଦର୍ଶିତ ହେବ। କଳା ନିର୍ବାଣ ଇଣ୍ଟରନାସନାଲ ଆର୍ଟ ସେଣ୍ଟର ପକ୍ଷରୁ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କୋଣାର୍କ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ଏହି ସୁଯୋଗ ଭେଟିଦେବ। ଚିତ୍ର ପ୍ରଦର୍ଶନୀରେ ଭାରତ ସମେତ କାନାଡ଼ା, ଫ୍ରାନ୍ସ, ମରକ୍କୋ, ଇଜିପ୍ଟ, ସ୍ବିଡେନ୍, ସ୍ଳୋଭେନିଆ, ସର୍ବିଆ ଓ ଟୁନିସିଆର ଚିତ୍ରଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶିତ ହେବ। କଳା ନିର୍ବାଣ ଇଣ୍ଟରନାସନାଲ ଆର୍ଟ ସେଣ୍ଟର ପକ୍ଷରୁ ସମଗ୍ର ବିଶ୍ବରୁ ଚିତ୍ରଶିଳ୍ପୀଙ୍କଠାରୁ ଚିତ୍ର ଆହ୍ବାନ କରାଯିବା ପରେ ସେଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ଚିତ୍ରଗୁଡ଼ିକ ପ୍ରଦର୍ଶିତ କରାଯିବ। ଏନେଇ କଳା ନିର୍ବାଣ ଆର୍ଟ ସେଣ୍ଟରର ନିର୍ଦ୍ଦେଶକ ଆଶିଷ ପହିଙ୍କ ସୂଚନା ମୁତାବକ, ଓଡ଼ିଶାରେ ଏକକାଳୀନ ୯ଟି ଦେଶର ଚିତ୍ରକଳାକୁ ନେଇ ପ୍ରଦର୍ଶନ ପ୍ରଥମଥର ପାଇଁ ଆୟୋଜିତ ହେଉଛି। ଏଥିରେ ବହୁ ବିଶିଷ୍ଟ କଳାକାରଙ୍କ ସୃଜନ ସ୍ଥାନିତ ହେବ।