
ଏକ ଦୁର୍ଗମ ପାହାଡ ପର୍ବତ ଘେରା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତର ଅନ୍ତର୍ଗତ ସାଇମସ୍କା ଗାଁ ଲାଞ୍ଜିଗଡ଼ ବ୍ଲକ ମହକୁମା ଠାରୁ ୪୦ କିମି ଦୁର ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୪ କିମି ଦୁରରେ ଏହି ଗାଁ ଅବସ୍ଥିତ । ଏହି ଗାଁ ଆଜକୁ ୨୦୦ ବର୍ଷରୁ ଉର୍ଦ୍ଧ ହେଲା ୨୦ ଆଦିବାସୀ ପରିବାର ବସବାସ କରୁ ଥିବା ବେଳେ ଏହି ଗାଁରେ ଅନେକ ଗୁଡିଏ ସମସ୍ୟା ଦେଖା ଯାଇଛି । ମୁଖ୍ୟ ସମସ୍ୟା ହେଉଛି ଗମନା ଗମନ,ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଓ ପାନୀୟ ଜଳ l ରାସ୍ତା ନଥିବାରୁ ଏହି ଭଲି ଅନେକ ସମସ୍ୟା ସାଇମସ୍କା ଗ୍ରାମବାସି ସମ୍ମୁଖିନ ହେଉଛନ୍ତି । ରାସ୍ତା ନଥିବା ଯୋଗୁଁ ଦାଇତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀ ବର୍ଷକୁ ଥରେ ଗାଁକୁ ଆସୁଥିବାରୁ ଲୋକ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ରହୁଛନ୍ତି।ଯେ କୈାଣସି ରୋଗ ହେଲେ କିମ୍ବା ଗର୍ଭବତି ମହିଳାଙ୍କୁ ଖଟିଆରେ ବୋହି ୩ କିମି ପାଦରେ ଚାଲି ଚାଲି ବାତେର ପଡ଼ା ମୁଖ୍ୟ ରାସ୍ତାକୁ ଅଣା ଯାଇଥଏ l ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ ଏଥିପାଇଁ ନିଜ ବ୍ୟବହାର ପାଇଁ ଗାଁ ନିକଟସ୍ଥ ଝରଣା ରୁ ପାଣି ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଯାହା ଫଳରେ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟବସ୍ଥା ଭଲ ରହୁନାହିଁ।ଅନେକ ସରକାରୀ ଯୋଜନା ଥିଲେ ବି ସବୁ ଅପହଞ୍ଚ ହୋଇପଡିଛି ଏଠାକାର ଅଧିବାସିଙ୍କ ପାଇଁ ।ଆଜି ପର୍ଯ୍ୟନ୍ତ ବିଧାୟକ, ବ୍ଳକ ଅଧ୍ୟକ୍ଷ ସ୍ୱାସ୍ଥ୍ୟକର୍ମୀ,ଗାଁ ଦାଇତ୍ୱରେ ଥିବା କୃଷି ଅଧିକାରୀ,ପ୍ରାଣୀ ଚିକିତ୍ସା କର୍ମଚାରୀ, ନିର୍ବାଚିତ ସରପଞ୍ଚଙ୍କ ମଧ୍ୟ ଗାଁରେ ପାଦ ପଡିନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଏହି ଗାଁ ପାଇଁ ବିଜୁଳି ଆଲୁଅ ସାତସପନ ପାଲଟି ଥିବା ବେଳେ ଡିବିରି ଆଲୁଅ ହିଁ ସେମାନଙ୍କ ସାହାଭରସା ।ଏମିତି ବିଭିନ୍ନ ସମସ୍ୟା ଦେଇ ଘାଣ୍ଟି ଚକଟି ହେଉଛନ୍ତି ସାଇମସ୍କା ଗ୍ରାମବାସି l ଏହି ସମସ୍ୟାପ୍ରତି ଜିଲ୍ଲା ଓ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି।