
ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଦୁଇ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଭିତରେ ହୋଇଥିବା ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶେଷ ଖବର ସୁଦ୍ଧା ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ ୩୫୦ ରୁ ଅଧିକ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟ ଡାକ୍ତରଖାନାମାନଙ୍କରେ ଭର୍ତ୍ତି କରାଯାଇଛି। ସୋର, ଖନ୍ତାପଡା, ଗୋପାଳପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଘଟଣାସ୍ଥଳରେ ୩ ଏନଡିଆରଏଫ, ୪ ଓଡ୍ରାଫ ଟିମ୍ ନିୟୋଜିତ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ୨୦ରୁ ଅଧିକ ଅଗ୍ନିଶମବାହିନୀ ନିୟୋଜିତ ହୋଇଛନ୍ତି।
ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶାସନ ପ୍ରକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ କରାଯାଇଛି। ତେବେ ଏହି ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଏଥି ସହିତ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏଥି ସହିତ ଗୁରୁତର ଆହତଙ୍କ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରାଯାଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ପରେ ଡାକ୍ତରୀ ଚିକିତ୍ସା ଦେବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି। ଭୁବନେଶ୍ୱର ଓ କୋଲକାତାରୁ ଏନ୍ଡିଆରଏଫ୍ ସହ ଏୟାରଫୋର୍ସ ମୁତାୟନ ହୋଇଥିବା ସେ ସୂଚନା ଦେଇଛନ୍ତି।