
ଜୁନ୍ ୧୦ ତାରିଖକୁ ‘ବିଶ୍ବ ଚକ୍ଷୁଦାନ’ ଦିବସ ଭାବେ ପାଳନ କରାଯାଏ। ଲୋକଙ୍କୁ ନେତ୍ରଦାନ କରିବା ଲାଗି ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସ ପାଳନର ଉଦ୍ଦେଶ୍ୟ। ଅନ୍ଧାରରେ ଜୀବନ ଜିଉଁଥିବା ଲୋକଙ୍କ ଜୀବନକୁ ଚକ୍ଷୁଦାନ ଦ୍ବାରା ଆଲୋକିତା କରିବା ହେଉଛି ଏହି ଦିବସର ଅନ୍ୟତମ ମୂଳ ଲକ୍ଷ୍ୟ। ଚକ୍ଷୁଦାନ ମହତ୍ ଦାନ। ଆମ ଦେଶରେ ଆଜି ବି ଅନେକ ଲୋକ ଦୁର୍ଘଟଣାବଶତଃ ଦୃଷ୍ଟିଶକ୍ତି ହରାଇଥିବା ବେଳେ ଅନେକ ଜନ୍ମରୁ ଦୃଷ୍ଟିବାଧିତ ଅଟନ୍ତି। ତେବେ ଚକ୍ଷୁଦାନ ଦ୍ବାରା ଜଣେ ଦୃଷ୍ଟିବାଧିତ ଦୃଷ୍ଟିଶକ୍ତି ଫେରିପାଆନ୍ତି। ତା’ସହ ଚକ୍ଷୁଦାନ କରିଥିବା ବ୍ୟକ୍ତି ଜଣକ ତାଙ୍କ ଭିତରେ ଜୀବନ୍ତ ରୁହନ୍ତି। ସାରା ବିଶ୍ବରେ ଚକ୍ଷୁଦାନ କରୁଥିବା ଲୋକଙ୍କ ସଂଖ୍ୟା ଆଦୌ ସନ୍ତୋଷଜନକ ନୁହେଁ। ଯେକୌଣସି ବ୍ୟକ୍ତି ସ୍ବଇଚ୍ଛାରେ ଚକ୍ଷୁଦାନ କରିପାରିବେ।
ବିଭିନ୍ନ ଡାକ୍ତରୀ ପରୀକ୍ଷା ପରେ ଜଣେ ମୃତ ବ୍ୟକ୍ତିର ଆଖି ସୁସ୍ଥ ବ୍ୟକ୍ତି ନିକଟରେ ପ୍ରତ୍ୟାରୋପଣ କରିବା ସମ୍ଭବ ହୋଇଥାଏ। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଚକ୍ଷୁଦାନ ହୋଇପାରିବ। ସେହିପରି ନେତ୍ରଦାନ ପ୍ରକ୍ରିୟା ଖୁବ୍ ସରଳ। ଏହି ପ୍ରକ୍ରିୟା ୧୦-୨୦ ମିନିଟ୍ ମଧ୍ୟରେ ଶେଷ ହୋଇଥାଏ। ଏହା ଦ୍ବାରା ମୃତ ବ୍ୟକ୍ତିଙ୍କ ଶରୀରରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ। ମଧୁମେହ, ଆଜ୍ମା, ଉଚ୍ଚ ରକ୍ତଚାପ ରୋଗୀ, ହୃଦ୍ ରୋଗୀ ଚକ୍ଷୁଦାନ କରିପାରିବେ। ଏଡସ୍, ହେପାଟାଇଟିସ୍, ରକ୍ତ କର୍କଟ, ବ୍ରେନ ଟ୍ୟୁମରରେ ପୀଡ଼ିତ ରୋଗୀ ଚକ୍ଷୁଦାନ କରିପାରିବେ ନାହିଁ। ଚକ୍ଷୁଦାନ ଦିବସ ଅବସରରେ ଲୋକଙ୍କୁ ଚକ୍ଷୁଦାନ କରିବା ଲାଗି ଆଇ ବ୍ୟାଙ୍କ ତଥା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି।