
ବରଗଡ ଉପଜିଲ୍ଲାପାଳ ଙ୍କ ଅଫିସ ପରିସରରେ ବୁଧବାର ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ ଆୟୁକ୍ତ ଙ୍କ କୋର୍ଟ ଉଦଘାଟିତ ହୋଇଯାଇଛି। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କୋର୍ଟ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଉପ ଜିଲ୍ଲାପାଳ ଲଲାଟ ଲୁହା, ପ୍ରଥମ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ ଆୟୁକ୍ତ ଭାବରେ ଯୋଗଦେଇଥିବା ଉପମା କାଲୋ , ଜିଲ୍ଲା ଓକିଲ ସଂଘ ସଭାପତି ଭିଷ୍ମଦେବ ସରାଫ, ସମ୍ପାଦକ ଉତ୍ତର କୁମାର ସାହୁ, ଉପ ସଭାପତି ସୁଶିଲ ଶତପଥୀ, ଯୁଗ୍ମ ସମ୍ପାଦକ ଶୁକଦେବ ସାହୁ ଙ୍କ ସମେତ କାର୍ଯ୍ୟକାରୀ କମିଟି ଓ ଓକିଲ ସଂଘ ର ବହୁ ବରିଷ୍ଠ ଓ କନିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଓକିଲ ସଂଘ ସମ୍ମିଳନୀ କକ୍ଷ ରେ ସଂଘ ସଭାପତି ଶ୍ରୀ ସରାଫ ଙ୍କ ସଭାପତିତ୍ବ ରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଅତିଥି ମାନେ ଯୋଗ ଦେଇଥିଲେ। ସଭାରେ ମୁଖ୍ୟ ଅତିଥି ଶ୍ରୀ ଦଳାଇ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ ଆୟୁକ୍ତ ଙ୍କ କୋର୍ଟ ପାଇଁ ଜମି ଅଧିଗ୍ରହଣ ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଏହି କୋର୍ଟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ବୋଲି ସୂଚନା ଦେଇଥିଲେ।
ବରଗଡ ଜିଲ୍ଲାବାସୀ ଙ୍କ ସୁବିଧା ପାଇଁ ଦୀର୍ଘ ଦିନ ଧରି ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏଠାରେ ଏକ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ କୋର୍ଟ ଖୋଲିବା ପାଇଁ ଦାବି କରାଯାଉଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଗୁରୁତ୍ୱ ଦେଇ ବରଗଡ ଜିଲ୍ଲା ପାଇଁ ନୂତନ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ କୋର୍ଟ ଖୋଲିବାକୁ ଘୋଷଣା କରି ପଦକ୍ଷେପ ନେଇଥିଲେ। ଶେଷରେ ବୁଧବାର ଏହା ସଫଳ ହୋଇ କୋର୍ଟ ଉଦ୍ଘାଟନ ହୋଇଛି।