କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ । ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଥିଲେ । ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା । ଯୋଜନାର ଶୁଭାରମ୍ଭ ପରେ ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାଇଥିଲେ ଏବଂ ସେଠାରେ ଏକ ବିକ୍ୟୁଏସ୍‌ ଫ୍ୟାସିଲିଟିର ଉଦ୍‌ଘାଟନ କରିଥିଲେ ।

ଆଜି ଦିନଟି କଳାହାଣ୍ଡିର ବିକାଶ ଯାତ୍ରାରେ ଏକ ବଡ଼ ମାଇଲ ଖୁଣ୍ଟ ଓ ବହୁତ ଆନନ୍ଦର ଦିନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ହେଲା। ଆଉ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖାଗଲା। ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି ଜୋରଦାର କରିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏଥିରେ ଆପଣଙ୍କ ଘର ପାଖକୁ ବସ ଆସିବ। ସମସ୍ତଙ୍କୁ ଯୋଡ଼ିବ। ପିଲାଙ୍କୁ ସ୍କୁଲ ସହିତ, ଚାଷୀକୁ ମାର୍କେଟ ସହିତ ଆଉ ମା ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ। କଳାହାଣ୍ଡିର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ । ଶିକ୍ଷା ,ସ୍ୱାସ୍ଥ୍ୟ ଯୋଗାଯୋଗ, ଭିତ୍ତିଭୂମି ଶିଳ୍ପ କୃଷି ସବୁ କ୍ଷେତ୍ରରେ ଉନ୍ନତି କଳାହାଣ୍ଡି ବାସୀଙ୍କ ସପନକୁ ସାକାର କରିଛି। କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି। ସଫଳତାର ନୂଆ କାହାଣୀ ଯୋଡ଼ିଛି। ବିକାଶର ଯାତ୍ରାରେ ଆଗକୁ ବଢ଼ିଛି। ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଦଉଛି ବୋଲି ସେ କହିଥିଲେ।

ଇନ୍ଦ୍ରାବତୀ ପ୍ରୋଜେକ୍ଟ କଳାହାଣ୍ଡି ବିକାଶର ଇଞ୍ଜିନ ବୋଲି ମତଦେଇ ସେ କହିଥିଲେ ଯେ ଏହି ପ୍ରୋଜେକ୍ଟ କଳାହାଣ୍ଡିର ଚେହେରାକୁ ଉଜ୍ଜଳ କରିଛି। ଖୁବ୍ ଶୀଘ୍ର ଏଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବ। ସବୁ ପଞ୍ଚାୟତକୁ ମିଳିବ ପଚାଶ ଲକ୍ଷ ଟଙ୍କା। ଆମ ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ। ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ କଳାହାଣ୍ଡିର ବିକାଶ ଯାତ୍ରା ଆହୁରି ଆଗକୁ ଯିବ ବୋଲି ସେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *