ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ ବଦଳି ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ ବଦଳି ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ 

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ। ବୁଧବାର କଳାହାଣ୍ଡି ଜିଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଣିକି ଏହା ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ନାମରେ ଜଣାଯିବ।

ଏହା ବ୍ୟତୀତ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟା ଶହୀଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜର ଶୁଭାରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ଉପସ୍ଥିତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶ୍ରୀ ମନସୁଖ ମାଣ୍ଡଭିୟା ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ର ପ୍ରତୀଶ କୁମାର କୁମ୍ଭାରଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।  ପାଠ ପଢିବାର ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରିବା ପରେ ସେ କହିଥିଲେ ଯେ ଏଠାରେ ପାଠ ପଢିବା ପାଇଁ ସବୁପ୍ରକାର ସୁବିଧା ସୁଯୋଗ ମିଳୁଛି ଏବଂ ଆମେ ଖୁସିରେ ପାଠ ପଢୁଛୁ । କେନ୍ଦ୍ରମନ୍ତ୍ରୀ ମାଣ୍ଡଭିୟା ଦୁଇ ଜଣ ଛାତ୍ରୀ ଅନୁପ୍ରିୟା କୁମାରୀ ଓ ଅନୁଷ୍କା ସିଂଙ୍କ ସହିତ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ୩୨୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ପାଠପଢା ଆରମ୍ଭ ହୋଇଛି । ୪୩.୧୮ ଏକର  ପରିମିତ ଅଞ୍ଚଳରେ ନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ର ପାଠ ପଢା ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହାଦ୍ବାରା ସ୍ବାସ୍ଥ୍ୟ ଶିକ୍ଷାରେ ଉନ୍ନତି ଆସିବା ସହିତ ସ୍ଥାନୀୟ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ମିଳିପାରିବ।

ମେଡିକାଲ କଲେଜ ସହିତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କା ବିନିଯୋଗରେ ଏକ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍‌ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି । ଏହା ବର୍ତ୍ତମାନ ନିର୍ମଣାଧୀନ ।

Leave a Reply

Your email address will not be published. Required fields are marked *