
ଚେନ୍ନାଇ:୧୩/୦୩: ଓଃ କେଡେ ନିଷ୍ଠୁର ଏ ଶବ୍ଦସବୁ, କେତେ ହୃଦୟ ବିଦାରକ ଏ କାହାଣୀ, କେତେ ମର୍ମାହତ ଏ ମୁହୂର୍ତ୍ତ ସବୁ… ଏ ଦୁଃଖ କିଏ ବା ସହିପାରିବ କହିଲେ, ଏ ଯନ୍ତ୍ରଣାକୁ ଛାତିରେ ଚାପି କେଉଁ ପୁଅ ପରୀକ୍ଷାରେ ଭଲ ଲେଖିପାରିବ କହିଲେ । ପରୀକ୍ଷାର କେଇ ଘଣ୍ଟା ଆଗରୁ ମାଆ ମରିଯିବ ଆଉ ତା ମୃତଦେହର ପାଦ ଛୁଇଁ ପୁଅକୁ ପରୀକ୍ଷା ଦେବାକୁ ଯିବାକୁ ପଡିବ । ତାମିଲନାଡୁର ଏ ହୃଦୟବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି ।ତାମିଲନାଡୁ ତିରୁନେଲଭେଲି ଜିଲ୍ଲାର ଭାଲିୟୁର ଅଞ୍ଚଳରେ ସୁନୀଲ କୁମାର । ଯିଏ ଏଥର ଯୁକ୍ତ-୨ ବୋର୍ଡ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ସରିଥିଲା, ହେଲେ ଦଇବ ଖେଳ ଖେଳିଦେଲା । ପରୀକ୍ଷା ପାଇଁ ଯିବା ଆଗରୁ ହିଁ ମାଆକୁ ଛଡାଇନେଲା । ଯୁକ୍ତ-୨ ବୋର୍ଡ ପରୀକ୍ଷା ପୂର୍ବରୁ ମାଆର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ସୁନୀଲ । ୬ ବର୍ଷ ତଳେ ବାପାଙ୍କୁ ହରାଇଥିଲେ ଆଉ ଏବେ ମାଆଙ୍କୁ ହରାଇ ପୂରା ବାପାମାଆ ଛେଉଣ୍ଡ ହେଇଯାଇଥିବା ସୁନୀଲ କାନ୍ଦି କାନ୍ଦି ଗଡିଯାଉଥିଲେ । ମାତ୍ର ତାଙ୍କର ପରୀକ୍ଷା ଥିବାରୁ ସମ୍ପର୍କୀୟମାନେ ବୁଝାସୁଝା କରିଥିଲେ । ସୁନୀଲଙ୍କ ମାଆ ସ୍ବାମୀ ଗଲା ପରେ ପୁଅକୁ ଶିକ୍ଷିତ କରି ବଡ ମଣିଷ କରିବା ପାଇଁ ସବୁବେଳେ ସ୍ବପ୍ନ ଦେଖୁଥିଲେ । ମାଆର ଆକସ୍ମିତ ମୃତ୍ୟୁ ପରେ ପୁଅ ଆଖିର ଲୁହକୁ ପୋଛି ପରୀକ୍ଷା ଦେବାକୁ ବାହାରିଥିଲା । ମୃତ ମାଆର ପାଦଛୁଇଁ, ପାଦତଳେ ହଲ୍ ଟିକେଟ୍ ଛୁଆଁଇ ବତୁରା ହୃଦୟରେ ପରୀକ୍ଷା ହଲକୁ ଯାଇଥିଲେ ସୁନୀଲ । ଆଉ ପରୀକ୍ଷା ପରେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ପରୀକ୍ଷା ମାର୍ଚ୍ଚ ୨୫ ଯାଏଁ ଚାଲିବାକୁ ଥିବା ବେଳେ ପରୀକ୍ଷା ଆରମ୍ଭରୁ ହିଁ ନିଜ ମାଆର ପ୍ରାଣ ଚାଲିଯିବା ପିଲା ପାଇଁ ଏକ ବିରାଟବଡ କ୍ଷତି । ସତରେ ଏ କାହାଣୀ ସମସ୍ତଙ୍କୁ କନ୍ଦାଇ ଦେବ ନିଶ୍ଚିତ…