ବାଲ୍‌ଟିଏ ପାଣି ପାଇଁ ଗୁଳିମାଡ଼: କେନ୍ଦ୍ରମନ୍ତ୍ରୀଙ୍କ ଭଣଜା ମୃତ, ଜଣେ ଗୁରୁତର

ପାଟନା:୨୧/୦୩: ସରକାରଙ୍କ ‘ହର୍‌ ଘର୍‌ କୋ ନଲ୍‌-ଜଲ୍‌’ ଯୋଜନା ଅଧୀନରେ ଲାଗିଥିବା ଏକ ପାଣି ଟ୍ୟାପ୍‌ରୁ ବାଲ୍‌ଟିଏ ପାଣି ଆଣିବାକୁ ‌ନେଇ ଆଜି ବିହାରରେ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣଙ୍କ ଜୀବନ ଯାଇଛି। ଜଣେ ଭାଇ ଗୁଳି କରି ଅନ୍ୟ ଭାଇକୁ ମାରି ଦେଇଛି। ଏହି ଘଟଣାରେ ସେମାନଙ୍କ ମା’ ମଧ୍ୟ ଗୁଳିମାଡ଼ର ଶିକାର ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ମୃତକ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ନେତା ନିତ୍ୟାନନ୍ଦ ରାୟଙ୍କର ସଂପର୍କୀୟ ଭଣଜା ବୋଲି ଜଣାପଡ଼ିଛି। ବିହାରର ନୌଗଛିଆ ଜିଲ୍ଲା ଅଧୀନ ଏକ ଗ୍ରାମରେ ଏହି ଘଟଣା ଘଟିଛି। ପାରବାଟ୍ଟା ଥାନା ଅଧୀନ ଜଗତପୁର ଗ୍ରାମରେ ଆଜି ଭୋର୍‌ ପ୍ରାୟ ୭ଟା ୩୦ ସମୟରେ ଏହି ଘଟଣା ଘଟିଛି। ପାଣି ପାଇଁ ବିଶ୍ବଜିତ ଯାଦବଙ୍କର ବଡ଼ଭାଇ ଜୟଜିତ ଯାଦବଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପାଟିତୁଣ୍ଡ ବଢ଼ିବାରୁ ବିଶ୍ବଜିତ ଏକ ପିସ୍ତଲ ଆଣି ଜୟଜିତଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ବିଶ୍ବଜିତଙ୍କ ହାତରୁ ଜୟଜିତ ପିସ୍ତଲ ଛଡ଼ାଇ ନେଇ ବିଶ୍ବଜିତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ। ଏହି ସମୟରେ ସେମାନଙ୍କ ମା’ ହୀନା ଦେବୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଆହତ ହୋଇଛନ୍ତି। ମା’ ଏବେ ଚିକିତ୍ସାଧୀନ ଥିବା‌‌ବେଳେ ବିଶ୍ବଜିତଙ୍କର ମୃତ୍ୟୁ ହୋଇଥିବା ଏସ୍‌ଡିପିଓ ସ୍ପଷ୍ଟ କରିଛନ୍ତି। ଜୟଜିତ ଏବେ ପୁଲିସ ହେପାଜତରେ ଚିକିତ୍ସାଧୀନ ଅଛନ୍ତି। ଜୟଜିତଙ୍କର ଆପରାଧିକ ଇତିହାସ ଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ସେ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ। ଇତିମଧ୍ୟ‌ରେ ଜଗତପୁର ପଞ୍ଚାୟତର ପ୍ରଦୀପ ଯାଦବ ସ୍ପଷ୍ଟ କରିଛନ୍ତି ଯେ ସରକାରୀ ଯୋଜନା ଅଧୀନରେ ସେମାନଙ୍କ ବାସଭବନ ବାହାରେ ଲାଗିଥିବା ଟ୍ୟାପ୍‌ରୁ ପାଣି ଆଣିବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା I

Leave a Reply

Your email address will not be published. Required fields are marked *