
ଭଦ୍ରକ:୨୫/୦୪- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟରେ ଚାପି ହୋଇ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି l ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି l ଘଟଣାସ୍ଥଳରେ ଟାଉନ ପୋଲିସ ମୁତୟନ ରହିଛନ୍ତି। ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାନ୍ଦିଆ ପଞ୍ଚାୟତ ନରସିଂହପୁର ଗ୍ରାମର ମିନତୀ ପରିଡାଙ୍କ ଥଣ୍ଡା ଜ୍ୱର ହୋଇଥିବାରୁ ପରିବାରଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ଆଣିଥିଲେ l ମେଡିଶିନ ବିଭାଗର ୨ ମହଲାରେ ଥିବା ମହିଳା ୱାର୍ଡରେ ସେ ଆଡମିଶନ ହୋଇଥିଲେ l ଡାକ୍ତର ଦେଖିବା ପରେ କଟକ ସ୍ଥାନାନ୍ତର ପାଇଁ କହିଥିଲେ l ଲିଫ୍ଟରେ ଆସିବା ପାଇଁ ଲିଫ୍ଟକୁ ଯାଉଥିବା ବେଳେ ହଠାତ ଲିଫ୍ଟ ଉପରକୁ ଉଠିଥିଲା l ଫଳରେ ମିନତୀ ଚାପି ହୋଇ ଯାଇଥିଲେ l ସାଙ୍ଗରେ ଥିବା ତାଙ୍କ ବୋହୁ ଅଳ୍ପକେ ବର୍ତ୍ତିଯାଇଥିଲେ l ଲିଫ୍ଟରେ କୌଣସି ଷ୍ଟାଫ ନ ଥିବାରୁ ଏପରି ଆଘଟଣ ଘଟିଥିଲା l ଏହାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି l ତାଙ୍କ ପରିବାର ପକ୍ଷରୁ ଲିଫ୍ଟ ଷ୍ଟାଫଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିପୂରଣ ଦାବି କରାଯାଇଛି l ଟାଉନ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ମୁତୟନ ରହିଛନ୍ତି l