ବିହାର:୨୫/୦୪: ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଓ ଷଡ୍ଯନ୍ତ୍ରକାରୀଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ମିଳିବ। କୌଣସି ଆତଙ୍କୀ ନିସ୍ତାର ପାଇବେ ନାହିଁ। ସେମାନଙ୍କୁ ପାତାଳରୁ ବି ଖୋଜି ନିପାତ କରାଯିବ ଏବଂ ସେମାନଙ୍କର ଯାହା କିଛି ଭିତ୍ତିଭୂମି ରହିଛି ତାହାକୁ ମାଟିରେ ମିଶାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମଧୁବନୀରୁ ଅତ୍ୟନ୍ତ କଡ଼ା ବାର୍ତ୍ତା ଦେଇଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟାରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ଆତଙ୍କବାଦୀ ଓ ଷଡ୍ଯନ୍ତ୍ରକାରୀଙ୍କୁ ଭାରତ ଛାଡ଼ିବ ନାହିଁ ଏବଂ ସେମାନଙ୍କୁ ଯେଉଁ ଦଣ୍ଡ ଦିଆଯିବ ତାହା ସେମାନଙ୍କ କଳ୍ପନା ବାହାରେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଚିହ୍ନଟ କରିବ, ଠାବ କରିବ ଏବଂ ଦଣ୍ଡିତ କରିବ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ବାର୍ତ୍ତାକୁ ପୂରା ବିଶ୍ବ ଉଦ୍ଦେଶ୍ୟରେ ଇଂରାଜୀରେ ମଧ୍ୟ ଶୁଣାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି- ‘ଆଜି ବିହାର ମାଟିରୁ ମୁଁ ସମଗ୍ର ବିଶ୍ୱକୁ କହୁଛି, ଆମେ ସେମାନଙ୍କୁ ପୃଥିବୀର ଶେଷ ପର୍ଯ୍ୟନ୍ତ ଅନୁସରଣ କରିବୁ। ଆତଙ୍କବାଦ ଦ୍ୱାରା ଭାରତର ଭାବନା ଓ ଆତ୍ମା କେବେ ଭାଙ୍ଗିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀଙ୍କୁ ଦୃଢ଼ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣହତ୍ୟାରେ ପ୍ରାଣ ହରାଇଥିବା ନିରୀହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସମସ୍ତ ପ୍ରୟାସ କରିବ। ଏହି ସଂକଳ୍ପରେ ସମଗ୍ର ଦେଶ ଏକ। ମାନବିକତାରେ ବିଶ୍ୱାସ କରୁଥିବା ସମସ୍ତେ ଆମ ସହିତ ଅଛନ୍ତି। ଦଣ୍ଡ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଅତି କଠୋର ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଏକ ସଂଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ) ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ହିନ୍ଦୁ ପର୍ଯ୍ୟଟକମାନଙ୍କୁ ଟାର୍ଗେଟ୍ ହତ୍ୟା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଦେଶବ୍ୟାପୀ ସ୍ବର ଉଠିଛି। ସୂଚନାଯୋଗ୍ୟ, ଆକ୍ରମଣ ସମୟରେ ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସକାଳେ ନିଜର ଗସ୍ତ କାଣ୍ଟଛାଣ୍ଟ କରି ଦିଲ୍ଲୀ ଫେରିଥିଲେ। ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ନିରାପତ୍ତା କମିଟି (ସିସିଏସ୍) ବୈଠକ ବସିବା ପରେ ସରକାର ପଡ଼ୋଶୀ ପାକିସ୍ତାନ ବିରୋଧରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପହଲଗାମ ଆକ୍ରମଣ ନେଇ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ କରିଛନ୍ତି। ସଂସଦ ଭବନରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବୈଠକରେ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଆତଙ୍କୀ ଆକ୍ରମଣ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦିଆଯାଇଥିଲା ଏବଂ ବିରୋଧୀ ଦଳ ନେତାମାନେ ସେମାନଙ୍କ ମତାମତ ରଖିଥିଲେ। ୨ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି ବିରୋଧୀ ଦଳମାନେ କହିଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ କୌଣସି ସାଲିସ କରିବ ନାହିଁ ବୋଲି ବୈଠକରେ ସର୍ବସମ୍ମତ ମତପ୍ରକାଶ ପାଇଥିଲା। ପହଲଗାମର ବୈସାରଣ ଉପତ୍ୟକାକୁ ସ୍ଥାନୀୟ କର୍ତ୍ତୃପକ୍ଷ ସୁରକ୍ଷା ଏଜେନ୍ସିର ମଞ୍ଜୁରି ନଥାଇ ଖୋଲିଥିଲେ ଏବଂ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ ହୋଇନଥିଲା ବୋଲି ସରକାର ସ୍ବୀକାର କରିଛନ୍ତି। ବୈଠକ ଆରମ୍ଭରେ ସମସ୍ତ ନେତା ପହଲଗାମ ମୃତକଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, କିରଣ ରିଜିଜୁ, ଏସ୍ ଜୟଶଙ୍କର, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାମଗୋପାଳ ଯାଦବ (ସପା), ସୁପ୍ରିୟା ସୁଲେ (ଏନ୍ସିପି-ଏସ୍ପି), ଶ୍ରୀକାନ୍ତ ସିନ୍ଦେ (ଏନ୍ସିପି), ପ୍ରଫୁଲ ପଟେଲ (ଏନ୍ସିପି), ପ୍ରେମଚାନ୍ଦ ଗୁପ୍ତା (ଆରଜେଡି), ତିରୁଚି ଶିବ (ଡିଏମ୍କେ), ସସ୍ମିତ ପାତ୍ର (ବିଜେଡି), ସଞ୍ଜୟ ସିଂହ (ଆପ୍), ସୁଦୀପ ବନ୍ଦୋପଧ୍ୟାୟ (ଟିଏମ୍ସି), ମିଥୁନ ରେଡ୍ଡି (ୱାଇଏସ୍ଆରସି) ଏବଂ ବିଜେପିର ଅନିଲ ବାଲୁନି ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଖଡ଼ଗେ ସାମ୍ବାଦିକଙ୍କୁ କହିଛନ୍ତି, ସମସ୍ତ ଦଳ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ଜମ୍ମୁ କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ସବୁ ପ୍ରୟାସ କରାଯିବା ଉଚିତ ବୋଲି ଖଡ଼ଗେ କହିଛନ୍ତି। ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀର ବିଧାନସଭାରେ ମଧ୍ୟ ଆଜି ପହଲଗାମ ଆକ୍ରମଣକୁ ନେଇ ଏକ ସର୍ବଦଳୀୟ ବୈଠକ ହୋଇଛି ଏବଂ ଏହି ବୈଠକରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଛି।
