
ଭୁବନେଶ୍ୱର:୦୬/୦୫(ଅଶୋକ ସାହୁ): ଶ୍ରୀମନ୍ଦିରର ଚତୁର୍ଦ୍ଧା ବିଗ୍ରହଙ୍କ ବଳକା ଦାରୁରେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବା ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦେଇଥିବା ଅନ୍ତରୀଣ ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଅପରପକ୍ଷେ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ବିଭିନ୍ନ ନିଯୋଗର ସେବକଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ମାର୍ଗଦର୍ଶିକା ଜାରି ହେବ। ଯାହାଦ୍ବାରା ଭବିଷ୍ୟତରେ ଏଭଳି ବିଶୃଙ୍ଖଳା ଆଉ ହେବନି ବୋଲି ମନ୍ତ୍ରୀ କହିଛନ୍ତି। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ଅନ୍ତରୀଣ ତଦନ୍ତ ଶେଷ ହୋଇଛି ଓ ତଦନ୍ତ କମିଟି ସବିଶେଷ ରିପୋର୍ଟ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି। ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା, ମନ୍ଦିର ନାମକୁ ‘ଜଗନ୍ନାଥ ଧାମ’ ଲେଖାଯିବା, ଶ୍ରୀମନ୍ଦିର ସେବାୟତମାନେ ସେଠାରେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ଓ ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଆଦି ବାବଦରେ ଅନ୍ତରୀଣ ତଦନ୍ତ କମିଟି ଦେଇଥିବା ରିପୋର୍ଟକୁ ଡ. ପାଢ଼ୀ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ମହାରଣା ସେବକ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ନିଯୋଗ, ଦଇତାପତି ନିଯୋଗ ଏବଂ ଯେଉଁମାନେ ଦୀଘା ମନ୍ଦିର ଯାଇଥିଲେ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ଧରି ମାରାଥନ ଜେରା କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଦିଗକୁ ଅନୁଧ୍ୟାନ କରି ବିଭିନ୍ନ ପ୍ରସ୍ତାବ ଓ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଏହି ରିପୋର୍ଟକୁ ସଂପୂର୍ଣ୍ଣ ଅନୁଧ୍ୟାନ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ। ଦେଶରେ କେବଳ ଚାରିଟି ଧାମ ରହିଛି। ଏହି ଚାରିଧାମ ବ୍ୟତୀତ ଅନ୍ୟ ସ୍ଥାନରେ ‘ଧାମ’ ନାମ ଲାଗିପାରିବ ନାହିଁ। ତେଣୁ ଦୀଘାରେ ‘ଜଗନ୍ନାଥ ଧାମ’ ଉଲ୍ଲେଖ ଠିକ ନୁହେଁ। ଏହାକୁ ଶୀଘ୍ର ହଟାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖାଯିବ ଏବଂ ଦୀଘାଠାରେ ମହୋଦଧି ନାମକୁ କାଟିବା ପାଇଁ ମଧ୍ୟ କୁହାଯିବ। ଶ୍ରୀମନ୍ଦିର ସେବାୟତମାନେ କୌଣସି ସ୍ଥାନକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବାର ବିଧି ନାହିଁ। ସେବକମାନେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବିଷୟରେ ବାହାରେ କ’ଣ ସବୁ ପ୍ରକାଶ କରି ପାରିବେ ଓ କରିପାରିବେନି, ସେଥିନେଇ ମାର୍ଗଦର୍ଶିକା ଜାରି ହେବ। ରିପୋର୍ଟରୁ ଯାହା ଜଣାପଡ଼ିଛି, ବଳକା ଦାରୁକାଠ ବାହାରକୁ ଯିବା ଏବଂ ଏଥିରେ ବିଗ୍ରହ ନିର୍ମାଣ ହେବା ସମ୍ଭବ ନୁହେଁ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ନିଯୋଗମାନେ ଉଲ୍ଲେଖ କରିଛନ୍ତି। ଦାରୁଘର ଭିତରେ ଦାରୁକାଠ ସୁରକ୍ଷିତ ଅଛି। ୧୯୯୫-୯୬ ମସିହାରେ ସେତେବେଳର ସରକାରଙ୍କ ନିଷ୍ପତ୍ତିକ୍ରମେ କିଛି ଦଇତାପତିଙ୍କ ଘରେ ଦାରୁ କାଠ ରହିଛି। ସେ ସମସ୍ତ କାଠ ଦାରୁଘରକୁ ଆଣିବା ଏବଂ ଏହାର ଗଣତି ପାଇଁ ୫ଜଣିଆ କମିଟି ଗଠନ ହୋଇଛି। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା, ତାହା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ୍ ହୋଇଥିଲା। ସେ ନିଜର ପକ୍ଷ ରଖିଛନ୍ତି। ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆ ନଯିବ, ସେ ନେଇ ୭ ଦିନ ମଧ୍ୟରେ ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ପ୍ରଦାନ ବେଳେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଶାସନ ସଚିବ ବିଭୁପ୍ରସାଦ ପଣ୍ଡା, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।