
କେନ୍ଦୁଝର: ୦୬/୦୫: ବିପ୍ଳବର ବହ୍ନିଶିଖା ଥିଲେ ଧରଣୀ। ଅନ୍ୟାୟ, ଅତ୍ୟାଚାର ସହ ସାଲିସ ନ କରି କିଭଳି ବିପ୍ଲବ କରି ବଞ୍ଚିହେବ, ତାହା ଶିଖାଇଥିଲେ। ତାଙ୍କ ବିପ୍ଳବ ଆଜି ଅନ୍ୟମାନଙ୍କୁ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ କରିବାକୁ ପ୍ରେରଣା ଦେଉଛି ବୋଲି ସୋମବାର କେନ୍ଦୁଝର ସଦର ବ୍ଲକ୍ କୁସୁମିତାଠାରେ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିପ୍ଳବ ସହିତ ଆଧ୍ୟାତ୍ମିକତାର ପ୍ରତୀକ ଥିଲେ ଧରଣୀଧର। ସେ ଓଡ଼ିଶାରେ ବ୍ରିଟିସ ବିରୋଧୀ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଅନ୍ୟତମ ନାୟକ। ତାଙ୍କ ସଂକଳ୍ପ, ଦେଶପ୍ରେମ ଓ ତ୍ୟାଗ ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ସ୍ରୋତ। ରାଜ୍ୟ ସରକାର ତାଙ୍କ ସ୍ମୃତିକୁ ଅମର କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂଜ୍ୟପୂଜା ପରମ୍ପରାକୁ ଗୁରୁତ୍ୱ ଦେଇ ସରକାର ମହାପୁରୁଷମାନଙ୍କ ଜୟନ୍ତୀ ସେମାନଙ୍କ ଜନ୍ମମାଟିରେ ପାଳନ କରୁଛନ୍ତି। ଏହା ହିଁ ଆମ ଅସ୍ମିତାର ପରିଚୟ। ଲଢ଼େଇ କରି ବଞ୍ଚିବା ପାଇଁ ଏ ମାଟିର ବରପୁତ୍ର ଧରଣୀଧର ଆହ୍ୱାନ ଦେଇଥିଲେ। ଏ ମାଟିର ଶକ୍ତି ଆମକୁ ସଶକ୍ତ କରିଛି। ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଏହି ଶକ୍ତି ପ୍ରେରଣା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଧରଣୀଧରଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ଅତିଥି ଭବନ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି ୫୦ କୋଟି ଟଙ୍କା ବ୍ୟୟରେ କୁସୁମିତାଠାରେ ସ୍ମୃତି ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟରେ ୩୪୦ଟି ନୂତନ ପ୍ରକଳ୍ପର ଘୋଷଣା, ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କୁସୁମିତାରେ ଧରଣୀଧରଙ୍କ ପୈତୃକ ବାସଭବନର ସଂରକ୍ଷଣ ଏବଂ ତାଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖାଯିବ। ଧରଣୀଧରଙ୍କ ଘର ପାଖରେ ଦୁଇ ଏକର ଜମିରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଏହାକୁ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରିବା ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ବିପ୍ଲବୀ ଧରଣୀଧରଙ୍କୁ ସ୍ୱାଭିମାନର ପ୍ରତୀକ ବୋଲି କହିବା ସହ ତାଙ୍କ ଜୀବନୀରୁ ପ୍ରତ୍ୟେକ ବର୍ଗ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରର କାଙ୍ଗାଳି ଚରଣ ନାଏକଙ୍କୁ ଧରଣୀଧର ସମ୍ମାନରେ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ବିପ୍ଲବୀ ଧରଣୀଧର ନାଏକଙ୍କ ବଂଶଧର କଳାକର ନାଏକ ଉପସ୍ଥିତ ଥିଲେ। ଭୂୟାଁ ସାଂସ୍କୃତିକ ସଂଗଠନର ସମ୍ପାଦକ ଶ୍ୟାମସୁନ୍ଦର ନାଏକ ବିବରଣୀ ପାଠ କରିଥିଲେ। ଜିଲ୍ଲାପାଳ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୂୟାଁ ସାଂସ୍କୃତିକ ସଂଗଠନର ଉପଦେଷ୍ଟା ମମିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।