
ଆଗାମୀ ଦିନମାନଙ୍କରେ ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ତାଲିମ କେନ୍ଦ୍ରରୁ ଡ୍ରାଇଭିଂର ଟେନିଂ ନେବା ପରେ ଲାଇସେନ୍ସ ପ୍ରସ୍ତୁତି କରିବା ଲାଗି ପରୀକ୍ଷା ଦେବାକୁ ପଡ଼ିବ ନାହିଁ । କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଏହି ପ୍ରସଙ୍ଗରେ ଏକ ଡ୍ରାଫ୍ଟ ନୋଟିସ ଜାରି କରି ଲୋକଙ୍କୁ ପରାମର୍ଶ ମାଗିଛି ।

ସରକାର ଡ୍ରାଇଭିଂ ସଂପର୍କିତ ନିୟମକୁ ସରଳୀକରଣ କରିବାକୁ ଚାହାନ୍ତି । ଏହି ଦିଗରେ ମନ୍ତ୍ରାଳୟ ଡ୍ରାଇଭର ଟ୍ରେନିଂ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ସଂପର୍କରେ ଏକ ଅଧିସୂଚନା ଜାରି କରିଛି । ଦେଶର ନାଗରିକାଙ୍କୁ ଭଲ ଡ୍ରାଇଭିଂ ଟ୍ରେନିଂ ଦେବା ଲାଗି ମନ୍ତ୍ରାଳୟ କିଛି ବିସ୍ତୃତ ନିୟମ ଆଣିବାକୁ ଉଦ୍ୟମ କରିଛି । ଡ୍ରାଇଭିଂ ସେଣ୍ଟରକୁ ସ୍ୱୀକୃତିପ୍ରାପ୍ତ କରିବା ଲାଗି ଏହି ନିୟମ ପାଳନ କରିବାକୁ ପଡ଼ିବ ।

ମନ୍ତ୍ରାଳୟ ଏହି ବ୍ୟବସ୍ଥା ମଧ୍ୟ କରୁଛି ଯେ, ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଟ୍ରେନିଂ ନେବା ପରେ କୌଣସି ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ଲାଗି ଆବେଦନ କରିବା ସମୟରେ ଟେଷ୍ଟ ଦେବାକୁ ନପଡୁ । ଏହି ପଦକ୍ଷେପ ଦ୍ୱାରା ପରିବହନ ଉଦ୍ୟୋଗରେ ତାଲିମପ୍ରାପ୍ତ ଡ୍ରାଇଭର ରଖିବାରେ ସାହାଯ୍ୟ ମିଳିପାରିବ, ଯାହା ଦ୍ୱାରା ସେମାନଙ୍କର ଦକ୍ଷତାରେ ସଂଶୋଧନ ଆସିବ ଏବଂ ସଡ଼କ ଦୁର୍ଘଟଣା ହ୍ରାସ ପାଇବ । ଲୋକଙ୍କ ପରାମର୍ଶ ପାଇଁ ମନ୍ତ୍ରାଳୟ ଏହି ଡ୍ରାଫ୍ଟ ନୋଟିଫିକେଶନକୁ ନିଜର ୱେବସାଇଟରେ ଅପଲୋଡ଼ କରିଛି ।