ଚେତିଲା ପ୍ରଶାସନ, ନିଲମ୍ବିତ ହେଲେ ନୟାଗଡ଼ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି ପିଅନ୍

ଚେତିଲା ପ୍ରଶାସନ, ନିଲମ୍ବିତ ହେଲେ ନୟାଗଡ଼ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି ପିଅନ୍

ଚେତିଲା ପ୍ରଶାସନ  ।  ନିଲମ୍ବିତ ହେଲେ ନୟାଗଡ଼ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତିର ପିଅନ୍ ଗଦାଧର ସାହୁ । ଉକ୍ତ ପିଅନଙ୍କୁ ବହିଷ୍କାର ଦାବୀ କରି ଚେତାବନୀ ଦେଇଛନ୍ତି ଚାଷୀ ।

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବେଣାଗାଡ଼ିଆ ପଞ୍ଚାୟତ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତିରେ ଖୋଲିଥିବା ଧାନମଣ୍ଡିରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । କିନ୍ତୁ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଓ ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ  ।  ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଚାଷୀ ସେବା ସମବାୟ ସମିତି କାର୍ଯ୍ୟାଳୟରେ 20 ଦିନ ତଳେ ତାଲା ପକାଇଥିଲେ । ଆଉ ଧାନ କିଣା ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ଚାଷୀଙ୍କ ନାଁରେ ଅଣଚାଷୀ ଧାନ ବିକ୍ରି କରୁଥିବା ନେଇ ତେନ୍ତୁଳିଆପଲ୍ଲୀ ଗାଁର ଚାଷୀ ଅଭିଯୋଗ କରିଥିଲେ । ମଣ୍ଡି ଆରମ୍ଭ ହେବା ଦିନ ଠାରୁ ଏଭଳି ଜାଲିଆତି ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ସମବାୟ ସମିତିର ପିଅନ ଗଦାଧର ସାହୁ ସବୁ ଘୋଟାଲାରେ ସମ୍ପୃକ୍ତ ଥିବା ନେଇ ଚାଷୀ ଅଭିଯୋଗ କରିଥିଲେ  । ନୟାଗଡ ଅତିରିକ୍ତ ଜିଲା ଯୋଗାଣ ଅଧୁକାରୀ ଜୟନ୍ତ କୁମାର ଦାସ, ଖଣ୍ଡପଡା ବ୍ଲକ ଯୋଗାଣ ନିରୀକ୍ଷକ ସୁବାସ ଚନ୍ଦ୍ର ବିଶ୍ଵାଳ, ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଖଣ୍ଡପଡା ଶାଖାର ସୁପରଭାଇଜର ଲକ୍ଷ୍ମଣ ପ୍ରଧାନ ଗତ 5 ତାରିଖରେ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ  ।

ଚାଷୀମାନେ କରିଥିବା ଅଭିଯୋଗର ସତ୍ୟତା ଜାଣିବା ପରେ ସମିତି ଦାୟିତ୍ୱରେ ଥିବା ପିଅନ ଗଦାଧର ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । କିନ୍ତୁ ଗଦାଧର ସାହୁଙ୍କୁ ତେନ୍ତୁଳିଆପଲ୍ଲୀ ସମବାୟ ସମିତିରୁ ବହିଷ୍କାର କରିବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ଚାଷୀ । ଏହାସହ ଦୀର୍ଘ ବର୍ଷ ଧରି ଜାରି ରହିଥିବା ଜାଲିଆତି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ କରିଛନ୍ତି ଚାଷୀ । ଯେ ପର୍ଯ୍ୟନ୍ତ ପିଅନଙ୍କୁ ବହିଷ୍କାର କରାଯାଇନି ସମବାୟ ସମିତିରେ ତାଲା ପଡ଼ି ରହିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *