
ଟ୍ୱିଟର ୫୦୦ରୁ ଅଧିକ ହିଂସା ସୃଷ୍ଟି କରିବାକୁ ଉସକାଉଥିବା ଆକାଉଣ୍ଟ ବନ୍ଦ କରିଥିବା ବେଳେ ଆଉ କିଛି ଉପରେ କୌଣସି କଟକଣା ଲଗାଇ ନାହିଁ। ତେବେ ଏହାକୁ ଦୃଷ୍ଟିରେ ରଖି ସୋଶିଆଲ ମିଡ଼ିଆରେ ଏଣିକି ଆପତ୍ତିଜନକ ପୋଷ୍ଟ କିମ୍ବା ହିଂସା ସୃଷ୍ଟି କରିବା ଭଳି ଖବର ପ୍ରସାରଣ କଲେ ଏଣିକି ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସତର୍କ କରାଇ ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ।
ଆଜି ରାଜ୍ୟସଭାରେ ଶ୍ରୀ ପ୍ରସାଦ କହିଛନ୍ତି ଆମେ ଟ୍ୱିଟର ଓ ଅନ୍ୟ ସୋଶାଲ ମିଡିଆ ନିକଟରେ ସମସ୍ୟା ଗୁଡ଼ିକ ଉଠାଇଛୁ। ଯଦି ସେମାନେ ଦେଶରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ଭାରତୀୟ ଆଇନର ପରିସର ଭୁକ୍ତ ହୋଇ କାର୍ଯ୍ୟା କରିବାକୁ ପଡ଼ିବ। ଭିନ୍ନ ଦେଶ ପାଇଁ ଭିନ୍ନ ପାରାମିଟିର ଲାଗୁ କରାଯାଇ ପାରିବ ନାହିଁ। ଆମେରିକାର କ୍ୟାପିଟଲ ହିଲ୍ ପାଇଁ ଗୋଟିଏ ନିୟମ ହୋଇଥିବା ବେଳେ ଲାଲକିଲ୍ଲା ଘଟଣା ପାଇଁ ଆଉ ଗୋଟିଏ ନିୟମ ହୋଇପାରିବ ନାହିଁ । ସମସ୍ତେ ସୋଶାଲ ମିଡିଆକୁ ସମ୍ମାନ ଜଣାଉଛୁ। ଏହା ସାଧାରଣ ଲୋକଙ୍କୁ ସଶକ୍ତ କରିଛି। ଡିଜିଟାଲ ଭାରତ କାର୍ଯ୍ୟ କ୍ରମରେ ସୋଶାଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସୋଶାଲ ମିଡିଆରେ ଫେକ୍ ନ୍ୟୁଜ ଭାଇରାଲ କରିବା ଓ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିବା, ଆଦୌ ଗ୍ରହଣ କରାଯିବ ନାହିଁ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି ।