ଆଜି ତିନି ଜଣିଆ କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟରେ ୬ ହାତୀ ମୃତ୍ୟୁ ଘଟଣା ଅନୁଧ୍ୟାନର ତଦନ୍ତ ଆରମ୍ଭ କରିଛନ୍ତି । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ପ୍ରାଥମିକ ରିପୋର୍ଟ ରହିଥିଲେ ହେଁ କେନ୍ଦ୍ରୀୟ ଟିମ୍ ମୃତ୍ୟୁର କାରଣ ନିଜେ ଯାଞ୍ଚ କରିବେ।
ଏଣୁ ହାତୀ ମୃତ୍ୟୁ ଅଞ୍ଚଳ ତଥା ହାତୀ ପିଉଥିବା ନାଳ ତଥା ନିକଟସ୍ଥ ଗାଁକୁ ଟିମ୍ ପରିଦର୍ଶନ କରୁଛନ୍ତି । କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକା ଅନୁଧ୍ୟାନ ପରେ ରିପୋର୍ଟ ପ୍ରସ୍ତୁତ କରିବେ । ଏହି ଟିମ୍ରେ ସେଣ୍ଟର ଅଫ୍ ୱାଇଲଡ୍ ଲାଇଫ୍ର ବୈଜ୍ଞାନିକ ଡ. କରିକାଲନ ମାଥେସ, ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟ୍ରୁ ଡ. ପିପି ପଣ୍ଡା, କୋର୍ଡିନେଟର ପ୍ରୋଫେସର ଡ. ନିରଞ୍ଜନ ସାହୁ ସାମିଲ ଅଛନ୍ତି ।
ଭବାନୀପାଟଣାରେ ପହଞ୍ଚିବା ପରେ ଆର୍ସିସିଏଫ ସୁଦୀପ୍ତ ଦାସ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର, ପ୍ରାଣୀ ସଂପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ସହ ଏକ ସ୍ୱତନ୍ତ୍ର ବୈଠକରେ କର୍ଲାପାଟ ହାତୀ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
