ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହେଲା କମିଶନରେଟ ପୋଲିସ । ଦୀର୍ଘ 22 ବର୍ଷ ପରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରାଯାଇଛି । ବିବନକୁ ଗିରଫ କରିବା ଓଡିଶା ପୋଲିସ ପାଇଁ ବଡ ସଫଳତା ।
ରାଜଧାନୀ ଭୁବନେଶ୍ୱରର ବାରଙ୍ଗରେ 1999 ମସିହା ଜାନୁଆରୀ 9ରେ ଏକ ଗଣଦୁଷ୍କର୍ମ ଘଟିଥିଲା । ବାରଙ୍ଗ ଥାନା ଅଞ୍ଚଳରେ ଏକ କାର ଭିତରେ ଘଟିଥିଲା ଗଣଦୁଷ୍କର୍ମ । ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ 3 ରୁ 4 ଘଣ୍ଟା ଏହି ଦୁଷ୍କର୍ମ ହୋଇଥିଲା । ଦୀର୍ଘ 22 ବର୍ଷ ହେଲା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ଥିଲା । ପୁଣେ ଆମ୍ବି ଭ୍ୟାଲିରେ ବିବନ ନିଜ ନାମ ବଦଳାଇ ରହୁଥିଲା । ବିବନ ସେଠାରେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ଏକ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ପରିଚୟ ପତ୍ର, ଆଧାର କାର୍ଡ, ପାସବୁକ ଜଳନ୍ଧର ନାମରେ କରିଥିଲା । 3ମାସ ତଳେ ‘ସାଇଲେଣ୍ଟ ବାଇପର‘ ଅଭିଯାନ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଟ୍ୱିନ୍ସିଟି କମିଶନରଙ୍କ ନେତୃତ୍ୱରେ ଗଠିତ ହୋଇଥିଲା 4 ଜଣିଆ ଟିମ୍ । ମୁମ୍ବାଇର ଆମ୍ବି ଭ୍ୟାଲିରୁ ବିବନକୁ ଗିରଫ କଲା କମିଶନରେଟ ପୋଲିସ ।
ଯାହା ସିବିଆଇ କରିପାରି ନଥିଲା ଆମେ ତାହା କରିଛୁ କହି ଏକ ପ୍ରେସମିଟରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଗିରଫ ସୂଚନା ଦେଇଛନ୍ତି ।
