ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିଛି କମିଶନରେଟ ପୋଲିସ । ଦୀର୍ଘ 22 ବର୍ଷ ପରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରାଯାଇଛି । ବିବନକୁ କଡା ସୁରକ୍ଷା ମଧ୍ୟରେ ସିବିଆଇ କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତ ବିବନ ବିଶ୍ୱାଳକୁ ଫାଶୀ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଦିଆଯିବା ପାଇଁ ଦାବୀ କରିଛନ୍ତି ପୀଡିତା । ଏହା ସହ ସେ ଅନ୍ୟ ଦୁଷ୍କର୍ମ ପୀଡିତାମାନେ ଭାଙ୍ଗି ନପଡି ନ୍ୟାୟ ପାଇଁ ସଂଘର୍ଷ କରନ୍ତୁ ।
ରାଜଧାନୀ ଭୁବନେଶ୍ୱରର ବାରଙ୍ଗରେ 1999 ମସିହା ଜାନୁଆରୀ 9ରେ ଏକ ଗଣଦୁଷ୍କର୍ମ ଘଟିଥିଲା । ବାରଙ୍ଗ ଥାନା ଅଞ୍ଚଳରେ ଏକ କାର ଭିତରେ ଘଟିଥିଲା ଗଣଦୁଷ୍କର୍ମ । ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ 3 ରୁ 4 ଘଣ୍ଟା ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଘଟିଥିଲା ଏହି ଜଘନ୍ୟକାଣ୍ଡ । ଏହି ଗଣଦୁଷ୍କର୍ମ ମାମଲାରେ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ଅଭିଯୁକ୍ତ ଥିଲେ । ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ 1999 ଜାନୁଆରୀ 26 ତାରିଖରେ ଗିରଫ କରାଯାଇଥିଲା । 1999 ମସିହା ମେ 5 ତାରିଖରେ ଏହି ମାମଲାର ଚାର୍ଜସିଟ ଦାଖଲ କରିଥିଲା ସିବିଆଇ । ତେବେ 2002 ମସିହା ଏପ୍ରିଲ 29ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇଥିଲେ । ଦୁଇ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଆମେ ଆପଣଙ୍କୁ ଏଠାରେ କହିରଖିଛୁ ଯେ, ଦୀର୍ଘ 22 ବର୍ଷ ହେଲା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ତଦନ୍ତ ସିବିଆଇକୁ ଦିଆଯାଇଥିଲା । 3ମାସ ତଳେ ‘ସାଇଲେଣ୍ଟ ବାଇପର‘ ଅଭିଯାନ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଟ୍ୱିନ୍ସିଟି କମିଶନରଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୪ ଜଣିଆ ଟିମ୍ । ‘ସାଇଲେଣ୍ଟ ବାଇପର‘ ଅଭିଯାନ ବା ନୀରବ ବୋଡା ସାପ ପୋଲିସକୁ ସଫଳତା ଦେଇଛି । ମୁମ୍ବାଇର ଆମ୍ବି ଭ୍ୟାଲିରୁ ବିବନକୁ ଗିରଫ କଲା କମିଶନରେଟ ପୋଲିସ ।


