ଚର୍ଚ୍ଚାରେ ମୁରୁଗେସନ

ଚର୍ଚ୍ଚାରେ ମୁରୁଗେସନ

ତାମିଲନାଡୁ ର ମଦୁରାଇ ନିକଟବର୍ତ୍ତୀ ମଲେକକାଲ ଗାଁ ରେ ରହନ୍ତି ଜଣେ ଅଧାରୁ ପାଠ ଛାଡ଼ିଦେଇଥିବା ଯୁବକ ପି ଏମ ମୁରୁଗେସନ । ମୁରୁଗେସନ ଙ୍କ ନାଁ ଗତକାଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବା ପରେ ଅଧିକ ସଂଖ୍ୟକ ଲୋକ ତାଙ୍କ ବିଷୟରେ ଚର୍ଚ୍ଚା ଆରମ୍ଭ କରିଛନ୍ତି । ଘର ର ଆର୍ଥିକ ଅବସ୍ଥା ସେତେଟା ଭଲ ନ ଥିବାରୁ ମୁରୁଗେସନ ଅଷ୍ଟମ ଶ୍ରେଣୀରୁ ଆଉ ଅଧିକ ପାଠ ପଢିପାରିନଥିଲେ । ନିଜ ପିତାଙ୍କ ସହ କଦଳୀ ଚାଷ ଜମିରେ  ତାଙ୍କୁ କାମ କରିବାକୁ ପଡିଥିଲା । ନିଜ ଅଞ୍ଚଳ ରେ ନଡ଼ିଆ କତା ରୁ ଉତ୍କୃଷ୍ଠ ଦଉଡି ଓ ଅନ୍ୟାନ୍ୟ ଘର କରଣା ତିଆରି ହେଉଥିବା ଦେଖି  କଦଳୀ ତନ୍ତୁ ରୁ ଯେ କାହିଁକି  ଏଭଳି ଦଉଡି ତିଆରି ହୋଇ ନ ପାରିବ ସେ ବିଷୟରେ  ସେ ଭାବିବାକୁ ଲାଗିଲେ । ଦିନେ ସେ କଦଳୀ ଗଛର ବର୍ଜ୍ୟ କୁ ନଡିଆ ଦଉଡି ବୋଳୁଥିବା ମେସିନ ରେ ପ୍ରସ୍ତୁତ ପାଇଁ ଉଦ୍ୟମ କରି  ବିଫଳ ହେଲେ । ଅନେକ ପରୀକ୍ଷା ନିରୀକ୍ଷା ପରେ ସେ କଦଳୀ ଗଣ୍ଡି ର ତନ୍ତୁ ରୁ ସୂତା ଓ ସେଥିରୁ ଦଉଡି ବାହାର କରିବା ପାଇଁ ଏକ ସ୍ବଦେଶୀ ଯନ୍ତ୍ର ନିର୍ମାଣ କରିବାରେ ସକ୍ଷମ ହେଲେ ।

 କିଛି ବର୍ଷ ତଳୁ ମୁରୁଗେସନ  ଏହି ଯନ୍ତ୍ର ସହିତ ଏକ ଉତ୍ପାଦନ ୟୁନିଟ ଆରମ୍ଭ କରିଛନ୍ତି । ଏହାର ନାଁ ସେ ଏମ ଏସ ରୋପସ ପ୍ରଡକ୍ସନ ସେଣ୍ଟର ନାମରେ ରଖିଛନ୍ତି ।  ସମୁଦାୟ 2 ଲକ୍ଷ ଟଙ୍କା  ଏଭଳି ୟୁନିଟ ପାଇଁ ବ୍ୟୟ କରାଯାଇଛି । ଯେଉଁ ସବୁ କଦଳୀ ବର୍ଜ୍ୟ  କିଛି ବର୍ଷ ତଳୁ ଫୋପାଡ଼ି ନଷ୍ଟ କରାଯାଉଥିଲା ସେହି ବର୍ଜ୍ୟ ଏବେ ଅନେକ ଙ୍କ ଜୀବିକା ରେ ସହାୟକ ହେଉଛି ।  10 ଜଣ ରୁ ଆରମ୍ଭ ହୋଇଥିବା ଏହି ବର୍ଜ୍ୟ ରୁ ସାମଗ୍ରୀ ଉତ୍ପାଦନ କାମ ରେ ଏବେ 350 ଜଣ ମହିଳା ନିୟୋଜିତ ଆଛନ୍ତି ଓ ବାର୍ଷିକ ଦେଢ଼ କୋଟି ଟଙ୍କାର ବ୍ୟବସାୟ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବହୁ ଚର୍ଚ୍ଚିତ ମନ କୀ ବାତ କାର୍ଯ୍ୟକ୍ରମ ରେ ମୁରୁଗୁ ସେନ ଙ୍କ ବର୍ଜ୍ୟ ରୁ ଆବିଷ୍କାର ର ଉଚ୍ଚ ପ୍ରଶଂସା କରିଥିଲେ । 

ଅଧାରୁ ପାଠ ଛାଡିଥିବା ମୁରୁଗୁସେନ ଏବେ ଦିନକୁ 1500 ମିଟର ର କଦଳୀ ବର୍ଜ୍ୟ ରୁ ଦଉଡି ଓ ଆସ୍ତରଣ ବାହାର କରି ବ୍ୟାଗ, ବାସ୍କେଟ ଓ ଅନେକ ସାମଗ୍ରୀ ତିଆରି କରିପାରୁଛନ୍ତି । ପାରମ୍ପରିକ ଜ୍ଞାନ ସହିତ ବିଜ୍ଞାନ ର ସମନ୍ୱୟ ରେ ତାମିଲନାଡୁ ର ଏହି ବ୍ୟକ୍ତି ଆଜି ଦେଶର ଜଣେ ଉଦ୍ଭାବକ ଭାବେ ନିଆରା ମାନ୍ୟତା ପାଇପାରିଛନ୍ତି ।

Leave a Reply

Your email address will not be published. Required fields are marked *