ବଲାଙ୍ଗୀର ଜିଲ୍ଲା ମାଓ ପ୍ରବଣ ଖପ୍ରାଖୋଲ ବ୍ଲକ ରେ ଦେଖିବାକୁ ମିଳିଛି ଏକ ଆବେଗାତ୍ମକ ଦୃଶ୍ୟ । ସ୍ଥାନୀୟ ଭାନପୁର ନୋଡାଲ ସ୍କୁଲର ଜଣେ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପାଇଁ ପୁରା ଗାଁ ଭାବ ପୂର୍ଣ୍ଣ ଶ୍ରଦ୍ଧା ସୁମନ ବାଢ଼ିଛି । ଭାନପୁର ନୋଡାଲ ସ୍କୁଲ ରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷକ ଶ୍ୟାମ ସୁନ୍ଦର ସାହୁ ଗତ ସପ୍ତାହ ରେ ଅବସର ନେଉଥିବା ଶୁଣି ଗ୍ରାମବାସୀ ଅତ୍ୟନ୍ତ ଭାବ ବିହ୍ୱଳ ହୋଇପଡିଥିଲେ । ବିଗତ ୨୦ ବର୍ଷ ଧରି ଶିକ୍ଷକ ସାହୁ ଗୁଣାତ୍ମକ ଶିକ୍ଷା ପାଇଁ ବ୍ୟକ୍ତିଗତ ଭାବେ ନିଜକୁ ଉତ୍ସର୍ଗ କରିଥିଲେ । କରୋନା ସମୟରେ ଗାଁ ମଣ୍ଡପ ରେ ପିଲାଙ୍କୁ ନାଚଗୀତ ମାଧ୍ୟମରେ ଶିକ୍ଷାଦାନ କରିଥିଲେ ଶ୍ରୀ ସାହୁ । ସାହୁଙ୍କ ଭଳି ଜଣେ ଶିକ୍ଷକଙ୍କ ଅବସର କୁ ସ୍ମୃତି ବହୁଳ ପାଇଁ ପ୍ରତ୍ୟେକ ପରିବାର ର ଘର ମୁହଁରେ ରଖାଯାଇଥିଲା ଦୀପ ଆଉ ପୂର୍ଣ୍ଣକୁମ୍ଭ । ଘର ସାମ୍ନାରେ ଝୋଟି ଚିତା ଦେଇ ଭାବପୂର୍ଣ୍ଣ ଫେରୱାଲ ଜଣାଇଥିଲେ ଶିଷ୍ୟ ଓ ସହକର୍ମୀ ଓ ଗ୍ରାମବାସୀ ।
ଭାନପୁର ବାସୀ ତାଙ୍କର ପ୍ରିୟ ଗୁରୁଙ୍କୁ ଅବସର କାଳୀନ ବିଦାୟ ଦେଉଥିବା ବେଳେ ଅଧିକାଂଶ କାନ୍ଦ କାନ୍ଦ ହୋଇଯାଉଥିଲେ ।
ମାଓ ପ୍ରବଣ ଏହି ବ୍ଲକ ରେ ଦୀର୍ଘ ଦିନ ଧରି ସ୍କୁଲ ପରିଚାଳନା ସହିତ ଜନ ସମ୍ପର୍କ ରଖି ଏହି ଶିକ୍ଷକ ଜଣଙ୍କ କିଭଳି ଲୋକଙ୍କ ହୃଦୟ ଜୟ କରିଛନ୍ତି ତାହା ବିଦାୟ କାଳୀନ ଦୃଶ୍ୟରୁ ଦେଖି ହୋଇଥିଲା ।
