ପୂର୍ବତନ ଜଣେ ପୋଲିସ ଅଧିକାରୀ ଗୋବିନ୍ଦ ପ୍ରସାଦ ପଟ୍ଟନାୟକ ରାସ୍ତା କଡ଼ର ଦୁର୍ଘଟଣାଗସ୍ତ ବୁଲା ଗାଈଗୋରୁ ଙ୍କ ପାଇଁ ପୁରୀ ରେ ଏକ ନିଆରା ହସ୍ପିଟାଲ ପରିଚାଳନା ସହିତ ଏକ ଆଶ୍ରୟ ସ୍ଥଳ ପରିଚାଳନା କରୁଛନ୍ତି ।
ପୁରୀର ଏହି ସେବା ନିବୃତ ଅଧିକାରୀ ଜଣଙ୍କ ଦୀର୍ଘ ଦିନ ଧରି ଏଭଳି ରାସ୍ତା କଡରେ ବିଭିନ୍ନ ଦୁର୍ଘଟଣା ର ଶିକାର ହୋଇ ଓ ରୋଗାକ୍ରାନ୍ତ ହୋଇ ପଡି ରହିଥିବା ଗାଈ ମାନଙ୍କୁ ଦେଖୁଥିଲେ ଓ କିଛି ଏକ ଉଦ୍ୟମ ନିଜ ସ୍ତର ରେ ଆରମ୍ଭ କରିବାର ଚିନ୍ତା କରିଥିଲେ । ୨୦୧୩ ରେ ଏହି ଅଧିକାରୀ ଗୋବିନ୍ଦ ପ୍ରସାଦ ପୋଲିସ ର ସିଗନାଲ ଅଧିକାରୀ ପଦରୁ ଅବସର ନେବା ପରେ ଗୋ ସେବା ପାଇଁ ଆରମ୍ଭ କରିଥିଲେ ପ୍ରୟାସ ।
ଗ୍ରାଣ୍ଡ ରୋଡ଼ ବାଘ ଆଖଡା ମଠ ନିକଟରେ ଗୋବିନ୍ଦ ୨୦୧୮ ରେ ଆରମ୍ଭ କଲେ ଦୁର୍ଘଟଣାଗସ୍ତ ଗାଈଗୋରୁ ଙ୍କ ହସ୍ପିଟାଲ । ଏଥିରେ ଅପରେସନ ଥିଏଟର,ଆଇ ସି ୟୁ, ଓ ଇଣ୍ଡୋର ଟ୍ରିଟମେଣ୍ଟବ୍ୟବସ୍ଥା ରହିଲା । ପୁରୀ ସହର ସମେତ ଆଖପାଖ ଅଞ୍ଚଳ ରୁ ସଡ଼କ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିବା ୧୮ ଗୋରୁ ଏବେ ଚିକିତ୍ସାଧୀନ ଅଛନ୍ତି ।
ସେହିପରି ସହର ଠାରୁ ଅନତି ଦୂର ରେ ଗୋବିନ୍ଦ ପ୍ରସାଦ ଆଉ ଏକ ଆଶ୍ରୟ ସ୍ଥଳ ଗଢି ଦେଇଛନ୍ତି । ଫୋନି ମହାବାତ୍ୟା ଏହି ଗୋଶାଳା ର ବ୍ୟାପକ କ୍ଷତି କରିଥିବା ରୁ ସାମୟିକ ଭାବେ ଅସହାୟ ବୁଲା ଗାଈଗୋରୁ ବେ ସାହାରା ହୋଇପଡିଥିଲେ । ଗୋବିନ୍ଦ ନିଜ ସଞ୍ଚୟ ରୁ ୯ ଲକ୍ଷ ଖର୍ଚ୍ଚ କରି ଭାଙ୍ଗି ଯାଇଥିବା ଆଶ୍ରୟ ସ୍ଥଳ ସଜାଡିଦେଲେ । ଏବେ ସେଠାରେ ୭୪ ଟି ଗାଈ ବଳଦ ସହିତ ୨୬ ଟି ଷଣ୍ଢ ଆଶ୍ରୟ ନେଇଛନ୍ତି ।
