ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟି ଦେଲେ ଡାକ୍ତର । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ବଲପୁର ବୁର୍ଲା ଲଖନପୁର ସ୍ୱାସ୍ଥ୍ୟ କେନ୍ଦ୍ର ନାଁରେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡାର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ପାଇଁ ଲଖନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ତେବେ ସେଠାରେ ତାଙ୍କର ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର କରାଯିବା ସମୟରେ ଡାକ୍ତର ଖାଦ୍ୟନଳୀ କାଟି ଦେବାରୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ସଦର ମେଡିକାଲ ଓ ପରେ ବୁର୍ଲାରେ ଭର୍ତ୍ତି କରାଯାଇଛି । ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଥିବା କୁହାଯାଉଛି । ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବୀ କରିଛନ୍ତି । ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର କରାଇଥିବା ମହିଳା ବର୍ତ୍ତମାନ ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି ।
