ଶାଶୁ ଘରକୁ ବିଦା ହେବା ବେଳେ କାନ୍ଦି କାନ୍ଦି ଜଣେ ନବ ବଧୂର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅର୍ନ୍ତଗତ ଉଲୁଣ୍ଡା ଗାଁ ରେ । ସୂଚନା ଅନୁସାରେ, ଉଲୁଣ୍ଡା ଗାଁ ର ଜଣେ ଯୁବତୀଙ୍କ ବିବାହ ବଲାଙ୍ଗିର ଜିଲ୍ଲା ତେତଲ ଗାଁ ର ଜଣେ ଯୁବକଙ୍କ ସହ ହୋଇଥିଲା । ବିବାହ ସରିବା ପରେ ପରମ୍ପରା ଅନୁସାରେ ଝିଅ ବିଦା ହେବା ସମୟରେ ପରିବାର ଲୋକଙ୍କ ସହ ନବ ବଧୂ ଜଣକ କାନ୍ଦୁଥିବା ସମୟରେ ଅଚେତ ହୋଇ ପଡିଥିଲେ । ଘର ଲୋକେ ପାଣି ଛିଞ୍ଚାଛିଞ୍ଚି କରିବା ପରେ ତାଙ୍କୁ ବିନିକା ମେଡିକାଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ହୃହଘାତରୁ ତାଙ୍କ ମୃତ୍ୟୁ ହୋଇଥିବା କଥା କହିଛନ୍ତି । କନ୍ୟାର ଅକାଳ ବିୟୋଗରେ ଉଲୁଣ୍ଡା ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
