ସମଗ୍ର ଦେଶ ସମତେ ରାଜ୍ୟରେ ଆଜି ମହାଶିବରାତ୍ରୀ ପାଳନ ହେଉଛି । ଭଗବାନ ଶିବଙ୍କ ଏହି ପବିତ୍ର ପର୍ବରେ ବାଧକ ସାଜିଛି କୋଭିଡ-୧୯ କଟକଣା । ରାଜ୍ୟର ଅନେକ ଶିବମନ୍ଦିରରେ କେବଳ ମନ୍ଦିର ପୂଜକଙ୍କୁ ନେଇ ଶିବରାତ୍ରୀ ପାଳନ କରାଯାଉଛି । ଭକ୍ତଙ୍କୁ ମନ୍ଦିର ପ୍ରବେଶ ନେଇ କଟକଣା ଲାଗିଛି ।
ମହାଶିବରାତ୍ରୀ ଅବସରରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱରରେ ଭକ୍ତଙ୍କୁ ବାରଣ ହୋଇଛି । ଏଠାରେ ଓଡ଼ିଶା ସମେତ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ହୋଇଥାଏ । କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି । କେବଳ ପୂଜକଙ୍କୁ ନେଇ ନୀତିକାନ୍ତି ଅନୁଷ୍ଠିତ ହେବ । ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲସ୍ଥିତ ମହାବିନାୟକ ମନ୍ଦିରରେ ମଧ୍ୟ ଶିବରାତ୍ରୀ ପୂର୍ବରୁ ୧୪୪ ଧାରା ଲାଗୁ କରିଛି ପ୍ରଶାସନ । ଭଦ୍ରକର ପ୍ରସିଦ୍ଧ ଆରଡି ଶିବ ମନ୍ଦିରରେ ମଧ୍ୟ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲାଗୁକରିଛି । ସେହିପରି ଯାଜପୁର ସହର ଉପକଣ୍ଠରେ ଥିବା ଶିବ ମନ୍ଦିର ଗୁଡ଼ିକରେ ମଧ୍ୟ କୋଭିଡ କଟକଣା ଲାଗୁ ହୋଇଛି ।
ପୁରୀସ୍ଥିତ ଲୋକନାଥ ମନ୍ଦିର ଓ ଭୁବନେଶର ଲିଙ୍ଗରାଜ ମନ୍ଦିରରେ କୋଭିଡ କଟକଣା ସହିତ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଭକ୍ତ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରି ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି । ଲିଙ୍ଗରାଜ ମନ୍ଦିରରେ ନୀତିନିର୍ଘଣ୍ଟ ଅନୁଯାୟୀ ଆଜି ରାତି ୧୦ଟାରେ ମହାଦୀପ ଉଠିବ । ମନ୍ଦିରରେ ଆଜି ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା ।
