ମହାଶିବରାତ୍ରୀ ଅବସରରେ ଆଜି ହରିଦ୍ୱାର କୁମ୍ଭର ପ୍ରଥମ ସାହି ସ୍ନାନ ଅନୁଷ୍ଠିତ ହେଉଛି । ଏଥି ପାଇଁ ଆଜି ଜୁନା ଆଖଡ଼ା, ଆହ୍ୱାନ ଆଖଡ଼ା, ଅଗ୍ନି ଆଖଡ଼ା ଓ କିନ୍ନର ଆଖଡ଼ା ଦିନ ୧୧ଟାରେ ହର କି ପୌଡ଼ି ବ୍ରହ୍ମକୁଣ୍ଡରେ ସ୍ନାନ କରିବାକୁ ପହଂଚିବେ । ଏହା ପରେ ନିରଂଜନୀ ଆଖଡା ଓ ଆନନ୍ଦ ଆଖଡ଼ା ଦିନ ୧ଟାରେ ହର କି ପୌଡ଼ି ବ୍ରହ୍ମକୁଣ୍ଡରେ ସ୍ନାନ କରିବେ । ଶେଷରେ ମହାନିର୍ବାଣୀ ଆଖଡ଼ା ଓ ଅଟଳ ଆଖଡା ଅପରାହ୍ନ ୪ଟାରେ ହର କି ପୌଡ଼ି ବ୍ରହ୍ମକୁଣ୍ଡରେ ସ୍ନାନ କରିବେ ।
ନାଗା-ସାଧୁଙ୍କ ଶାହୀ ସ୍ନାନକ ଲାଗି ଆଗମନକୁ ଦୃଷ୍ଟିରେ ରଖି ସକାଳ ୭ଟାରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ସ୍ନାନ କରିବାକୁ ପ୍ରଶସନ ଅନୁମତି ଦେଇଛି । ଏହା ପରେ ହର କି ପୌଡ଼ିକୁ ଖାଲି କରି ଦିଆଯିବ । ଘାଟଗୁଡ଼ିକ ସଫା କରାଯିବ ଏବଂ ଯାତ୍ରୀ ତଥା ଶ୍ରଦ୍ଧାଳୁଙ୍କ ଆଗମନ ଉପରେ କଟକଣା ଲଗାଯିବ ।
ମହାକୁମ୍ଭର ଶାହୀ ସ୍ନାନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ଲାଗି ମେଳା କ୍ଷେତ୍ରକୁ ୩ଟି ସୁପର ଜୋନ, ୯ଟି ଜୋନ ଓ ୨୫ଟି ସେକ୍ଟରରେ ବଣ୍ଟା ଯାଇଛି । ସେହିପରି ବ୍ୟାପକ ପରିମାଣରେ ପୋଲିସ ମୁତୟନ କରାଯାଇଛି ।
ସମଗ୍ର ଦେଶରେ ଆଜି ପବିତ ଶିବରାତ୍ରୀ ପାଳନ ହେଉଛି । କିନ୍ତୁ କୋଭିଡ କଟକଣା ସହିତ ପାଳନ କରାଯାଉଛି । ଆଜି ସକାଳୁ ଉତ୍ତର ପ୍ରଦେଶର ବାରାଣସୀସ୍ଥିତ କାଶୀ ବିଶ୍ୱନାଥଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍ତି । କିନ୍ତୁ ମହାରାଷ୍ଟ୍ରର ନାସିକରେ ଥିବା ତ୍ରୟମ୍ବକେଶ୍ୱର ଓ ମୁମ୍ବାଇର ବବୁଲନାଥ ମନ୍ଦିରରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ଭକ୍ତଙ୍କୁ ବାରଣ କରାଯାଇଛି । ଠିକ ସେହିପରି ଦେଶର ଅନ୍ୟ ଶିବାଳୟ ଗୁଡ଼ିକରେ ମଧ୍ୟ କୋଭିଡ-୧୯କୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ଚାଲିଛି ।
