ପ୍ରଥମ ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି ମାର୍ଚ୍ଚ ୧୨ରୁ ଆରମ୍ଭ ହେବ-

ପ୍ରଥମ ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି ମାର୍ଚ୍ଚ ୧୨ରୁ ଆରମ୍ଭ ହେବ-

ଦିବଂଗତ ଓଡ଼ିଆ ସିନେ ତାରକା ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱର ବ୍ଲାଷ୍ଟର୍ସ ଆନୁକୂଲ୍ୟରେ ‘‘ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି’’ ନାମରେ ଏକ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେବ । ସହିଦ ସ୍ପୋର୍ଟିଂ ପିଡ଼ିଆରେ ଚଳିତ ମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଆ ସିନେତାରକା, ଡାକ୍ତର, ପ୍ରଫେସର, ସଚିବାଳୟ କର୍ମଚାରୀ, ସାମ୍ବାଦିକ, କର୍ପୋରେଟ୍ ସଂସ୍ଥାର ଅଧିକାରୀ, ରାଜନେତା, ପ୍ରଶାସନକୁ ନେଇ ଗଠିତ ୧୦ ଦଳ ଭାଗନେବେ । ବୁଧବାର ଏହି ପ୍ରତିଯୋଗିତାର ଟ୍ରଫି ଉନ୍ମୋଚିତ ହୋଇଛି । ଏଥିରେ ଅତିଥି ଭାବେ ଶଶି କୁମାର ସାହୁ, ନୃସିଂହ ନନ୍ଦ ଉପସ୍ଥିତ ରହି ଟ୍ରଫି ଉନ୍ମୋଚନ କରିଥିଲେ । ଆୟୋଜକ କ୍ଲବ୍‌ର ପ୍ରଶିକ୍ଷକ ସିନେତାରକା ବବି ମିଶ୍ର, ଅଧିନାୟକ ରମେଶ ବାରିକ, ଉପଅଧିନାୟକ ଜୟ ସାମନ୍ତଙ୍କ ସମେତ ଭାଗନେଉଥିବା ଦଳର ଅଧିନାୟକ, ଉପଅଧିନାୟକ, ପ୍ରଶିକ୍ଷକ ଓ ଖେଳାଳିମାନେ ଉପସ୍ଥିତ ଥିଲେ । ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୫୦.୦୦୦ ଓ ୩୦.୦୦୦ ଟଙ୍କାର ପୁରସ୍କାର ରାଶି ସହ ଆକର୍ଷଣୀୟ ଟ୍ରଫି ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଟ୍ରଫି ପ୍ରଦାନ କରାଯିବ ବୋଲି ବୁଧବାର ଆୟୋଜିତ ଟ୍ରଫି ଉନ୍ମୋଚନ ଓ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କ୍ଲବ୍‌ର ପ୍ରଶିକ୍ଷକ ବବି ମିଶ୍ର ପ୍ରକାଶ କରିଛନ୍ତି । ଦିବା ରାତ୍ରରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ମ୍ୟାଚ୍‌ଗୁଡ଼ିକ ୧୦ ଓଭର ବିଶିଷ୍ଟ ଏବଂ ଟେନିସ ବଲ୍‌ରେ ଖେଳାଯିବ । ଭାଗନେଉଥିବା ଦଳ ଗୁଡ଼ିକ ହେଲେ ଏଲ୍ ଆଣ୍ଡ ଡି ଗ୍ଲୋବାଲ ଭୁବନେଶ୍ୱର ଚାପ୍ଟର, କର୍ପୋରେଟ କ୍ରିକେଟ୍ କ୍ଲବ୍‌, ପ୍ରଫେସର ଅଫ୍ ଉତ୍କଳ, ରଜନୀ ମୁଭିଜ୍ ୱାରିୟର, ବାରବାଟୀ ସିଙ୍ଘମ, କେଜିଆଇ, ସମ୍ ହସ୍‌ପିଟାଲ ଡକ୍ଟର କ୍ଲବ୍‌, ଖଣ୍ଡଗିରି ୱାରିୟର୍ସ, ଭୁବନେଶ୍ୱର ବ୍ଲାଷ୍ଟର୍ସ ଏବଂ ଭୁବନେଶ୍ୱର ମିଡିଆ ସ୍ପୋର୍ଟସ୍ କ୍ଲବ୍ ।

Leave a Reply

Your email address will not be published. Required fields are marked *