ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ରେ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ସେହିଦିନ ରାଉରକେଲାସ୍ଥିତ ଜାତୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍. ଆଇ.ଟି) ର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେହିଦିନ ରାଉରକେଲା ଇସ୍ପାତ୍ କାରଖାନାର ସୁପର ସ୍ପେଶାଲିଟି ଡାକ୍ତରଖାନା ଉଦଘାଟନ କରିବେ । ପରଦିନ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ଏଥୁପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଆୟୋଜିତ ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳା ରାଷ୍ଟ୍ରପତିଙ୍କ ଆଗମନ ସମ୍ବନ୍ଧିତ ପ୍ରାପ୍ତ ସୂଚନା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧୁକାରୀ, କର୍ମଚାରୀ ଏବଂ ସେବା ଯୋଗାଣକାରୀଙ୍କର ଆ.ର୍ଟି.ପି ସି.ଆର୍ ପ୍ରକ୍ରିୟାରେ କୋଭିଡ଼-୧୯ ପରୀକ୍ଷା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗ ଏବଂ ସଂପୃକ୍ତ ଜିଲ୍ଲାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଉରକେଲା ଏନ୍ଆଇଟିର ସମାବର୍ତ୍ତନ ଉତ୍ସବରେ ମଞ୍ଚରେ ବସିବାକୁ ଥିବା ଅତିଥ, ଶିକ୍ଷାବିତ ଏବଂ ମଞ୍ଚ ଉପରୁ କୌଣସି ପ୍ରକାର ପ୍ରମାଣପତ୍ର ବା ଡିଗ୍ରୀ ଆଦି ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କର କୋଭିଡ଼ ଟେଷ୍ଟ କରାଇବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବିମାନବନ୍ଦର, ଗସ୍ତକାଳ ଏବଂ ରହଣୀ ଆଦି ସମୟରେ ବିଭିନ୍ନ ସେବା ଯୋଗାଇବାକୁ ଉଦ୍ଦିଷ୍ଟ ଅଧୁରୀ, ଗାଡ଼ିଚାଳକ ଏବଂ କର୍ମଚାରୀମାନଙ୍କର କୋଭିଡ଼ ଟେଷ୍ଟ କରାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିମାନ ବନ୍ଦରଠାରୁ ଆରମ୍ଭ କରି ସଭାସ୍ଥଳ ଏବଂ ରହଣୀ ସ୍ଥାନ ଆଦି ସମସ୍ତ ସ୍ଥାନରେ କୋଭିଡ଼ ନିୟମର କଡାକଡି ଅନୁପାଳନ ନିଶ୍ଚିତ କରାଇବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ଓ ସମସ୍ତ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ୍ ଓ ଏସ୍ ଓ.ପି. ଅନୁସାରେ ସମସ୍ତ ଆୟୋଜନ ନିର୍ଭୁଲ ଭାବେ କରିବା ସହ ସେସବୁର ଆଗୁଆ ପରୀକ୍ଷା (ଡ୍ରାଏ ରନ୍) କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗ ଏବଂ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ଆରକ୍ଷୀ ମହାନିରୀକ୍ଷକ ଅଭୟ କୁମାର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଝାରସୁଗୁଡା, ଖୋଦ୍ଧା ଓ ପୁରୀ ଆଦି ଜିଲ୍ଲାର ଜିଲ୍ଲାପାଳ, ଏନ୍.ଆଇ.ଟି ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ବରିଷ୍ଠ ଅଧୁକାରୀମାନେ ଭିଡିଓ କନଫେରେସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।
