ସାନଖେମୁଣ୍ଡି ଅଞ୍ଚଳର ରତନଈ ପୀଠ ପାହାଡ଼ ଉପରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ଉଦ୍ଧାର ହୋଇଛି । ମହିଳାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ କୌଣସି ରାସାୟନିକ ସାର ଦେଇ ମୃତଦେହ ଜାଳିଦେବା ପାଇଁ ଉଦ୍ୟମ କରାଯାଇଥିବା ସନ୍ଦେହ ହୋଇଛିି ।
ରତନଇ ପାହାଡ଼ର ଦେଓଘାଇ ଉପର ଆମ୍ବଗଛ ଝରଣା ରାସ୍ତା ଠାରୁ କିଛି ଦୂରରେ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଦରପୋଡ଼ା ଶବ ପଡ଼ିଥିବା ଖବର ପାଇ ଆଇଆଇସି ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ପୋଲିସ ପହଞ୍ଚିଥିଲା ।ମୃତକ ଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଛି । ଉକ୍ତ ଅଞ୍ଚଳରେ ଆଜିକୁ ପ୍ରାୟ ୫ ଦିନ ହେବ ଦୁର୍ଗନ୍ଧ ହେଉଥିବାରୁ ସେହି ରାସ୍ତା ଦେଇ ଯାଉଥିବା ଲୋକ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।
ଏସ୍. ଗୋପାଳପୁର ସରପଞ୍ଚ ନିରାକାର ପ୍ରଧାନ ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଆଜି ପୂର୍ବାହ୍ନରେ ରାସ୍ତା କଡ଼ରୁ ପ୍ରାୟ ୧୫ ଫୁଟ ତଳୁ ଏକ ମହିଳାଙ୍କ ମୁଣ୍ଡ ଗଣ୍ଡି ଭିନ୍ନ ସ୍ଥାନରେ ପଡିଥିବା ଦେଖିଥିଲେ ।ମହିଳାଙ୍କ ୮୦ ପ୍ରତିଶତ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ପରେ ସେ ପାଟପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାଟପୁର ପୋଲିସ ଓ ଛତ୍ରପୁର ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛି ।ସାଇଣ୍ଟଫିକ ଟିମ ଘଟଣା ସ୍ଥଳରୁ ମହିଳାଙ୍କ ପିନ୍ଧା ଲୁଗା, ଏକ ଜରି ବ୍ୟାଗ, ଚୁଡ଼ି, ପାଣି ପାଉଚି, ଥଣ୍ଡା ବୋତଲ ଓ ପାଉଁଜିି ଜବତ କରିଛି। ମହିଳାଙ୍କ ବୟସ ୩୦ ବର୍ଷ ହେବ ।
ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି । ଘଟଣା ସ୍ଥଳରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ସହ ପୋଲିସ ଅଧିକାରୀ ଓ ଛତ୍ରପୁର ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ତଦନ୍ତ ଅଗ୍ରସର ହେବ ବୋଲି ପୋଲିସ କହିଛି ।
