ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏପ୍ରିଲ ମାସର ଶେଷରେ ଭାରତ ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି । ୟୁରୋପୀୟ ସଂଘ ଠାରୁ ଅଲଗା ହେବା ପରେ ବ୍ରିଟେନ୍ରର ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ । ଏଥି ସହିତ ଏହି ଗ୍ରସ୍ତ ଜନ୍ସନ୍ଙ୍କ ପାଇଁ ପ୍ରଥମ ଅନ୍ତର୍ଜାତୀୟ ଗସ୍ତ ହେବ । ଜନ୍ସନ୍ଙ୍କ ଏହି ଗସ୍ତ ଭାରତ-ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ପାଇଁ ହୋଇପାରେ ।
ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଭାରତର ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ବ୍ରିଟେନ୍ରେ କରୋନା ଭାଇରସ ସଂକ୍ରମଣ ବଢ଼ିବାରୁ ଜନ୍ସନ୍ ଗସ୍ତକୁ ବାତିଲ କରିଦେଇଥିଲେ ।
ଗଣତନ୍ତ୍ର ଦିବସ ଅବସରରେ ଜନ୍ସନ୍ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, ମୁଁ ଚଳିତ ବର୍ଷ ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରିଛି । ଏହା ଦ୍ୱାରା ଆମ ଭିତରେ ବନ୍ଧୁତ୍ୱର ନିବିଡ଼ତା ଆସିବ । ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଁ ଏଥିପାଇଁ ଆମେ ସଂକଳ୍ପ ନେଇଛୁ । ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ମୁଁ ଗଣତନ୍ତ୍ର ଦିବସରେ ଭାରତ ଆସିବାକୁ ମନ କରିଥିଲି । କିନ୍ତୁ କୋଭିଡ-୧୯ ଯୋଗୁଁ ସମସ୍ୟା ହୋଇଥିଲା ।


